ମନୀଷ ସିସୋଦିଆଙ୍କୁ ଘେରିଲେ ଅସ୍ଥାୟୀ ଶିକ୍ଷକ

ନୂଆଦିଲ୍ଲୀ: ଚାକିରୀ ସ୍ଥାୟୀ କରିବା ଦାବିରେ ଶନିବାର ସକାଳେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମ୍ମୁଖରେ ଅସ୍ଥାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଧାରଣା ଦେଇଥିଲେ। ଏହି ସମୟରେ ପୁଲିସ୍ ଓ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଏତେ ବିଗିଡ଼ି ଗଲା ଯେ ବିକ୍ଷୋଭକାରୀମାନଙ୍କ ଭିତରୁ ବାହାରିବାକୁ ମନୀଷ ସିସୋଦିଆଙ୍କୁ ପୁଲିସର ସହାୟତା ଆବଶ୍ୟକ ପଡ଼ିଲା। ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଉପ-ମୁଖ୍ୟମନ୍ତ୍ରୀ ସହିତ ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଥିବା ସିସୋଦିଆ ଘରୁ ବାହାରି କାରରେ ଯିବାବେଳେ ଶିକ୍ଷକ,ଶିକ୍ଷୟିତ୍ରୀମାନେ ସେମାନଙ୍କୁ ଘେରି ଯାଇଥିଲେ। କାର ଆଗରେ ବସିଯାଇଥିଲେ। ଉତ୍ତ୍ୟକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହିଥିଲେ ଯେ କମ୍ ଦରମାରରେ ଘର ଚଳାଇବା କେତେ କଷ୍ଟକର ତାହା ସିସୋଦିଆ ବୁଝିପାରିବେ ନାହିଁ।

ବିକ୍ଷୋଭ ପ୍ରଦର୍ଶନ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କ ଚାକିରୀ ସ୍ଥାୟୀ କରିବା ପାଇଁ ଦାବି କରୁଛନ୍ତି। ଅନେକ ବର୍ଷ ହେଲା ସେମାନେ ଏହି ଦାବି କରି ଆସୁଛନ୍ତି। ଏନେଇ ସେମାନେ ଅନେକ ଥର ଧାରଣ ଦେଇଛନ୍ତି ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।