ମସରତ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ: ମୁଫତି

ଶ୍ରୀନଗର: ହୁରିୟାତ ନେତା ସୟିଦ ଅଲ୍ଲୀ ଶାହ ଗୀଲାନି ଗତକାଲି ଏଠାରେ କରିଥିବା ରାଲିରେ ଭାରତ ବିରୋଧୀ ନାରାବାଜୀ କରିଥିବା ତଥା ପାକିସ୍ତାନର ପତାକା ଉଡ଼ାଇଥିବା ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୁରୁବାର ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦ କହିଛନ୍ତି । ଏ ନେଇ ନିର୍ଦେଶ ଦେଇ ଦିଆଯାଇଛି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଉଭୟ ଗୀଲାନି ଓ ମସରତ ଆଲମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଜମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି । ବୁଧବାର ରାତିରେ ହିଁ ସେ ଏ ନେଇ ମୁଖ୍ୟମନ୍ତ୍ରୀ ମୁଫତିଙ୍କ ସହିତ ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ମସରତ କହିଛି ଯେ ତାକୁ ଆଉ ଥରେ ଗିରଫ କରାଗଲା ତା’ର କିଛି ଦୁଃଖ ନାହିଁ । ସେ କହିଛି, ‘ମୁଁ ଯାହା କଲି ସେ ନେଇ ମୁଁ ଟିକେ ବି ଅନୁତାପ କରୁନାହିଁ । ଯିଏ ଗିରଫ କରୁଛି କରୁ । ମୋତେ ଗିରଫଦାରୀକୁ ଭୟ ଲାଗେ ନାହିଁ । ମୋ ନାଁରେ ଅନେକ ମାମଲା ରୁଜୁ ହୋଇଛି । ଆଉ ଗୋଟେ ରୁଜୁ ହେବ । ସେଥିରେ ମୋର କିଛି ଯାଏଆସେ ନାହିଁ । ମୋ ସଂଘର୍ଷ ଜାରି ରହିବ।’

ସୂଚନାଯୋଗ୍ୟ, ଜମ୍ମୁ ଓ କାଶ୍ମୀରେ ପିଡିପ-ବିଜେପି ସରକାର ଗଠନ ହେବା ପରେ ପ୍ରଥମ ପଦକ୍ଷେପ ଗ୍ରହଣ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୁଫତି ଜେଲରେ ଥିବା ମସରତ ଆଲମଙ୍କୁ ମୁକ୍ତ କରି ଦେଇଥିଲେ । ଏହାକୁ ଭାଜପା ବିରୋଧ କରିଥିଲା । କଂଗ୍ରେସ ସମେତ ଅନ୍ୟ ଦଳ ମଧ୍ୟ ଏହାକୁ ସମାଲୋଚନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ମୁଫତି ଭାଜପାକୁ ପ୍ରତିଶ୍ରୁତି ଦେଇଥିଲେ ଯେ ମସରତ ଉପରେ କଡ଼ା ନଜର ରଖାଯିବ । କିନ୍ତୁ ଗତକାଲି ସେ ପାକିସ୍ତାନ ସପକ୍ଷରେ ଓ ଭାରତ ବିରୋଧରେ ନାରାବାଜୀ କଲା ବେଳେ ଏବଂ ପାକିସ୍ତାନର ପତାକା ଉଡ଼ାଇବା ବେଳେ ଜମ୍ମୁ ଓ କାଶ୍ମୀରର ପ୍ରଶାସନ ଓ ପୁଲିସ ମୂକଦର୍ଶକ ସାଜିଥିଲା । ପୁଲିସ୍ କହିଥିଲା, ଏମିତି ସ୍ଥିତିରେ କ’ଣ କରିବାକୁ ହେବ ତାହା ନେଇ ସରକାରଙ୍କର କିଛି ନିଦେ୍ର୍ଧଶ ନାହିଁ।ମସରତ ଘୋର ଭାରତ ବିରୋଧୀ ଭାବେ ଜଣାଶୁଣା ଓ ୨୦୧୦ରେ ରାଜ୍ୟରେ ହୋଇଥିବା ପଥର ମାଡ଼ ଘଟଣାରେ ସେ ଥିଲା ଅନ୍ୟତମ ଷଡ଼ଯନ୍ତ୍ରକାରୀ।