ମୁଁ ମୋଦିଙ୍କୁ ଭେଟିନି କି କାନ୍ଦିନି: ଗିରିରାଜ ସିଂହ

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଓ ଏ ପ୍ରସଙ୍ଗରେ ମୋଦିଙ୍କ କଡ଼ା ଭର୍ତ୍ସନା ଯୋଗୁ ସେ କାନ୍ଦି ପକାଇ ଥିଲେ ବୋଲି କିଛି ଟେଲିଭିଜନ ଚ୍ୟାନେଲରେ ଖବର ପ୍ରସାରିତ ହୋଇଛି। ତେବେ ଏ ଖବରକୁ ଖଣ୍ଡନ କରିଛନ୍ତି ଗିରିରାଜ। ସେ କହିଛନ୍ତି,‘ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନାହିଁ କି କାନ୍ଦି ନାହିଁ । କିଏ କହୁଛି ମୁଁ କାନ୍ଦିଛି? କିଏ ଦେଖିଲା?’ ତେବେ କିଛି ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଖବର ଅନୁଯାୟୀ ସୋନିଆ ଗାନ୍ଧି ବିରୋଧୀ ମନ୍ତବ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଡକାଇ ଥିଲେ । ଏବଂ ଉକ୍ତ ବିବାଦୀୟ ମନ୍ତବ୍ୟ ପାଇଁ ସେ ଗିରିରାଜଙ୍କୁ କଡ଼ା ତାଗିଦ କରିଥିଲେ । ମୋଦିଙ୍କ ତାଗିଦରେ କାନ୍ଦି ପକାଇ ଥିଲେ ଗିରିରାଜ।

ସୂଚନାଯୋଗ୍ୟ, ଗତକାଲି ସେ ଲୋକସଭାରେ ସୋନିଆ ଗାନ୍ଧୀ ବିରୋଧୀ ମନ୍ତବ୍ୟ ନେଇ କ୍ଷମା ମାଗିଥିଲେ। ସେତେବେଳେ ଗୃହରେ ସୋନିଆ ଗାନ୍ଧୀ ଉପସ୍ଥିତ ଥିଲେ। କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲେ। ଗିରିରାଜଙ୍କ ମନ୍ତବ୍ୟ ଉପରେ ସଫେଇ ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭେଙ୍କେୟା ନାଇଡୁ କହିଥିଲେ ସାଂସଦ ସିନ୍ଦିଆ ଉଠାଇଥିବା ପ୍ରସଙ୍ଗ ଅତିଗୁରୁତ୍ୱପୂର୍ଣ୍ଣ। ସରକାରରେ କେହି ବି ଗିରିରାଜଙ୍କ ମନ୍ତବ୍ୟକୁ ସମର୍ଥନ କରୁ ନାହାନ୍ତି। ତେବେ ଭେଙ୍କେୟାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ନ ଥିଲେ କଂଗ୍ରେସ ସାଂସଦମାନେ। ଗୃହରେ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ କହିଲେ ଯେ ଗିରିରାଜ ସିଂହ ହେଉଛନ୍ତି ଜଣେ ମନ୍ତ୍ରୀ। ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀମାନଙ୍କର ମୁଖ୍ୟ । ତେଣୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଜବାବ ରଖନ୍ତୁ। ଏହାକୁ ଶାସକ ଦଳର ସାଂସଦମାନେ ବିରୋଧ କରିଥିଲେ । ଫଳରେ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ଏଥିଯୋଗୁ ଗୃହକୁ କିଛି ସମୟ ପାଇଁ ମୁଲତବୀ ରଖାଯାଇଥିଲା। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଖୋଦ୍ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ନିଜର ମନ୍ତବ୍ୟ ନେଇ କ୍ଷମା ମାଗିଥିଲେ। ସେ କହିଥିଲେ ଯେ କାହାକୁ ଆଘାତ ଦେବା ପାଇଁ ସେ ଉକ୍ତ ମନ୍ତବ୍ୟ ଦେଇ ନ ଥିଲେ।

କିଛି ଦିନ ତଳେ ଗିରିରାଜ ସିଂହ କହିଥିଲେ ଯେ ସୋନିଆ ଗାନ୍ଧୀ ଗୋରା ନ ହୋଇ କଳା ହୋଇଥିଲେ କ’ଣ କଂଗ୍ରେସ ତାଙ୍କୁ ନେତା ଭାବେ ଗ୍ରହଣ କରିଥାଆନ୍ତା।