ଶେଷରେ ରାହୁଲ ଫେରିଲେ

ନୂଆଦିଲ୍ଲୀ: ପାଖାପାଖି ଦୁଇ ମାସର ଅଜ୍ଞାତବାସ ପରେ କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ଗୁରୁବାର ସକାଳେ ଫେରି ଆସିଛନ୍ତି ନୂଆଦିଲ୍ଲୀ। ସକାଳ ୧୧ଟା ୧୫ମିନିଟରେ ସେ ଥାଇ ଏୟାରୱେଜ୍ର ଏକ ବିମାନରେ ବ୍ୟାଙ୍ଗକକରୁ ଆସି ଏଠାରେ ପହଞ୍ଚିଥିଲେ। ସେ ସେଠାରୁ ସିଧା ଚାଲିଯାଇଥିଲେ କେନ୍ଦ୍ରୀୟ ଦିଲ୍ଲୀର ତୁଗଲକ ଲେନରେ ଥିବା ତାଙ୍କ ବାସଭବନକୁ।ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ବାସଭବନରେ ଉପସ୍ଥିତ ଥିଲେ କଂଗ୍ରେସ ଅଧ୍ୟକ୍ଷା ତଥା ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ରାହୁଲ ଫେରିଆସିଥିଲେ ହେଁ ସେ ପ୍ରକୃତରେ କେଉଁଠି ଛୁଟି କାଟୁଥିଲେ ତାହା ସ୍ପଷ୍ଟ ହୋଇପାରନି। କାରଣ ସେ ବ୍ୟାଙ୍ଗକକରୁ ଆସିଥିଲେ ହେଁ ସେ ସେଠାରେ ଛୁଟି କାଟୁ ନ ଥିଲେ ବୋଲି କୁହାଯାଉଛି। ସେ ଭିଏତନାମା ଅବା ମିଅାଁମାରର ୟେଙ୍ଗୁନରେ ଛୁଟି କାଟୁଥିଲେ ବୋଲି କୁହାଯାଉଛି। ସେ କେବଳ ବ୍ୟାଙ୍ଗକକ ଦେଇ ଭାରତ ଫେରିଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସେ ୟୁରୋପ, ଭୁଟାନ ଅବା ଉତ୍ତରାଖଣ୍ଡର କୌଣସି ସ୍ଥାନରେ ଛୁଟି କାଟୁଛନ୍ତି।

ଫେବୃଆରୀ ୨୩ରେ ସଂସଦର ବହୁଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଆରମ୍ଭ ହେବା ବେଳଠୁ ରାହୁଲ ଚାଲିଯାଇଥିଲେ ଛୁଟିରେ। କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ସେ ମାନସ ମନ୍ଥନ ପାଇଁ ଛୁଟିରେ ଯାଇଛନ୍ତି । କାରଣ ଗତ ବର୍ଷ ଲୋକସଭା ନିର୍ବାଚନ ଓ ପରେ ପରେ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଧୂଳି ଚାଟିଥିଲା। ତେଣୁ ଦଳକୁ ପୁଣି ଥରେ ମଜଭୁତ କରିବାକୁ ସେ ମାନସମନ୍ଥନ କରିବାକୁ ଯାଇଛନ୍ତି ବୋଲି କଂଗ୍ରେସ ନେତମାନେ କହିଥିଲେ। ତେବେ ବଜେଟ ଅଧିବେଶନ ବେଳେ ତାଙ୍କର ଅନୁପସ୍ଥିତିକୁ ବିଜେପି ସମେତ ଅନେକ ସମାଲୋଚନା କରିଥିଲେ। ଏମିତିକି ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଥି ଓ କଂଗ୍ରେସର କିଛି ବରିଷ୍ଠ ନେତା ବି ଏହାକୁ ନାପସନ୍ଦ କରିଥିଲେ ଏବଂ ଖୋଲାଖୋଲି ସେମାନଙ୍କ ପ୍ରତ୍ରିକି୍ରୟା ଦେଇଥିଲେ।

ରାହୁଲ ଫେରିଆସିବା ପରେ ଏବେ ଆଉ ଏକ ଆଲୋଚନା ଜୋର ଧରିଛି। ତାଙ୍କୁ କଂଗ୍ରେସର ସଭାପତି ପଦ ଦିଆଯାଉଛି ନା ନାହିଁ ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ତଥାକଥିତ ମାନସମନ୍ଥନ କରି ସେ କଂଗ୍ରେସକୁ ପୁଣି ମଜଭୁତ କରିବା ପାଇଁ କି ରଣକୌଶଳ ପ୍ରସ୍ତୁତ କରି ଆସିଛନ୍ତି ତାହା ଜାଣିବାକୁ ସାଧାରଣ ଲୋକଙ୍କ ସହିତ କଂଗ୍ରେସ ନେତାମାନେ ବି ଉତ୍ସୁକତାର ସହିତ ଚାହିଁ ବସିଛନ୍ତି।