ହିଟ-ଆଣ୍ଡ-ରନ ମାମଲା: ମେ ୬ରେ ରାୟ

ମୁମ୍ବାଇ: ୨୦୦୨ ହିଟ-ଆଣ୍ଡ-ରନ ମାମଲାର ରାୟ ମେ ୬ରେ ପ୍ରକାଶ ପାଇବ। ଏହି ମାମଲରେ ବଲିଉଡ ଷ୍ଟାର ସଲମାନ ଖାନ୍ ଅଭିଯୁକ୍ତ ରହିଛନ୍ତି। କିଛିଦିନ ଧରି ଦୁଇ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ମଙ୍ଗଳବାର ମୁମ୍ବାଇର ସେସନ କୋର୍ଟ ବିଚାରପତି ଡି.ଦେଶପାଣ୍ଡେ ରାୟ ପ୍ରକାଶ କରିବା ପାଇଁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ଶୁଣାଣି ବେଳେ ସଲମାନ କୋର୍ଟରେ କହିଥିଲେ ଯେ, ସେ ମଦ ପିଇ ନଥିଲେ କି ଗାଡି ଚଲାଉ ନଥିଲେ। ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲା।

ସେହିପରି ଏହି ଦୀର୍ଘ ବର୍ଷର ମାମଲାରେ ପ୍ରଥମ ଥର ପାଇଁ ତାଙ୍କ ଡାଇଭର ନିଜେ କୋର୍ଟରେ ହଜାର ହୋଇ ଦୂର୍ଘଟଣା ଦିନ ସେ ହିଁ ଗାଡି ଚଲାଉଥିଲେ ବୋଲି କହିଥିଲେ। ତେବେ ସରକାରୀ ଓକିଲ ଯୁକ୍ତି କରିଥିଲେ ଯେ, ପ୍ରଚୁର ଟଙ୍କା ନେଇ ସଲମାନଙ୍କ ଡ୍ରାଇଭର ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଅନ୍ୟପକ୍ଷରେ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଥିଲେ।
ସୂଚନାଯୋଗ୍ୟ,୨୦୦୨ ସେପ୍ଟେମ୍ବର ୨୮ରେ ଭୋର ସମୟରେ ବାନ୍ଦ୍ରା ନିକଟରେ ଏକ ଫୁଟପାଥ ଉପରକୁ ସଲମାନଙ୍କ ଗାଡି ଚଢିଯିବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଥିଲା ଓ ଚାରିଜଣ ଗୁରୁତର ଆହାତ ହୋଇଥିଲେ।