ୟୁକ୍ରେନରେ ଆମେରିକୀୟ ସେନାର ଉପସ୍ଥିତି ସ୍ଥିତିକୁ ବିଗାଡ଼ି ଦେବ: ପୁଟିନ

ମୋସ୍କୋ: ୟୁକ୍ରେନରେ ବିଦେଶୀ ସେନାର ଉପସ୍ଥିତି ସ୍ଥିତିକୁ ବିଗାଡ଼ି ଦେବ ବୋଲି ଶୁକ୍ରବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାଇ ଦେଇଛନ୍ତି। ଚଳିତ ସପ୍ତାହରେ ଆମେରିକା ସେନାର ୩୦୦ ପ୍ରଶିକ୍ଷକ ଆସି ୟୁକ୍ରେନରେ ପହଞ୍ଚିଥିବା ବେଳେ ପୁଟିନ ଆଜି ଏଇ କଥା କହିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନରେ ଅନ୍ୟ ଏକ ଦେଶର ସେନାର ପ୍ରଶିକ୍ଷକ ଓ ବିଶେଷଜ୍ଞ ଉପସ୍ଥିତି କେବେ ହେଲେ ସେଠାରେ ଚାଲିଥିବା ହିଂସାକୁ ଥମାଇ ପାରିବ ନାହିଁ। ଅନ୍ୟପକ୍ଷରେ ଏହା ସ୍ଥିତିକୁ ଆହୁରି ବିଗାଡ଼ି ଦେବ।

ସୂଚନାଯୋଗ୍ୟ, ଆମେରିକାର ପାରା-ମିଲିଟାରୀର ୩୦୦ ପ୍ରଶିକ୍ଷକ ଚଳିତ ସପ୍ତାହରେ ଆସି ୟୁକ୍ରେନରେ ପହଞ୍ଚିଛନ୍ତି। ସେମାନେ ୟୁକ୍ରେନର ଜାତୀୟ ସୁରକ୍ଷା ବାହିନୀର ତିନି ବାଟାଲିୟନ ଯବାନଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଛନ୍ତି। ଆସନ୍ତା ୬ ମାସ ପର୍ଯ୍ୟନ୍ତ ସେମାନେ ତାଲିମ ଦେବେ।

ଗତ ଏକ ବର୍ଷ ହେବ ୟୁକ୍ରେନରେ ବିଦ୍ରୋହ ଚାଲିଛି। ବିଦ୍ରୋହୀଙ୍କ ଆକ୍ରମଣ ତଥା ସେନା ସହିତ ଏହାର ସଂଘର୍ଷରେ ଏପର୍ଯ୍ୟନ୍ତ ୬୦୦୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଛି। ୟୁକ୍ରେନର ଡୋନଷ୍ଟେକ୍ ଓ ଲୁଗାନସ୍କ ଅଞ୍ଚଳରେ ବିଶେଷତଃ ଏହି ହିଂସା ହୋଇଛି। ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଅଭିଯୋଗ କରିଆସୁଛନ୍ତି ଯେ ରୁଷ ହିଁ ୟୁକ୍ରେନ ବିଦ୍ରୋହୀମାନଙ୍କୁ ସମର୍ଥନ କରୁଛି।ଅନ୍ୟପକ୍ଷରେ ପୁଟିନ କହୁଛନ୍ତି ଯେ ତାଙ୍କର ଜଣେ ବି ଯବାନ ୟୁକ୍ରେନରେ ନାହାନ୍ତି ।