ଆତଙ୍କବାଦୀ ହମଲାରେ ୫ ଯବାନ ସହିଦ, ଆତଙ୍କୀ ନିହତ

ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗର କେପି ରୋଡ୍‌ ନିକଟରେ ଆତଙ୍କବାଦୀମାନେ ଆଜି ସିଆରପିଏଫ୍‌ ଓ ପୁଲିସ୍‌ ପାର୍ଟି ଉପରେ ହମ୍‌ଲା କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୫ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଛନ୍ତି। ଅନ୍ୟପକ୍ଷରେ ଗୁରୁତର ଆହତ ଯବାନଙ୍କୁ ସ୍ଥାନୀୟ ଏକ ହସ୍ପିଟାଲ ନିଆଯାଇଛି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହି ହମ୍‌ଲାରେ ଦୁଇ ଜଣ ଆତଙ୍କବାଦୀ ସାମିଲ ଥିଲେ। ତେଣୁ ଖସି ଯାଇଥିବା ଆତଙ୍କବାଦୀକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

କେପି ଛକରେ ସିଆରପିଏଫ୍‌ ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ପ୍ୟାଟ୍ରୋଲିଂ ଚାଲିଥିବା ବେଳେ ଦୁଇ ଜଣ ମୁଖା ପିନ୍ଧା ଆତଙ୍କବାଦୀ ସେଠାରେ ବାଇକ୍‌ ଯୋଗେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ଆତଙ୍କବାଦୀମାନେ ଯବାନ ଓ ପୁଲିସ୍‌ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଆହତ ଅନ୍ୟ ୫ ଜଣଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିଥିବା ୨ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିହତ ହୋଇଛି। ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଛି। ତା’କୁ ଧରିବା ପାଇଁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି।