ସାଧାରଣତନ୍ତ୍ର ଦିବସର ଅତିଥି ହେବେ ୧୦ ଏସିଆନ୍‌ ରାଷ୍ଟ୍ରମୁଖ୍ୟ

ବାଣିଜ୍ୟ ଓ ଅାର୍ଥିକ କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱ ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଛି ଏସିଆନ୍-ଭାରତ ଶିଖର ସମ୍ମିଳନୀ । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସିଛନ୍ତି ୧୦ ଦେଶର ରାଷ୍ଟ୍ରମୁଖ୍ୟ । ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମିଆଁମାର, କମ୍ବୋଡ଼ଇା, ଲାଓସ୍ ଏବଂ ବ୍ରୁନେଇରୁ ପ୍ରତିନିଧି ଯୋଗ ଦେଇଛନ୍ତି ଏହି ସମ୍ମିଳନୀରେ। ସମସ୍ତ ୧୦ ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ମୋଦି ଆଗାମୀ ଦୁଇ ଦିନ ମଧ୍ୟରେ ୬ଟି ଦ୍ୱିପାକ୍ଷିକ ବୈଠକରେ ବସିବେ।  ଦକ୍ଷିଣ ଏସିଆ ରାଷ୍ଟ୍ର ସହ ସମ୍ପର୍କକୁ ଆହୁରୀ ଦୃଢ଼ିଭୂତ କରିବା ନେଇ ଏହି ଅବସରରେ ଗୁରୁତ୍ୱ ଦେବେ ପ୍ରଧାନମନ୍ତ୍ରୀ।

ତେବେ ସବୁଠାରୁ ବଡ଼ କଥା ହେଲା, ଦକ୍ଷିଣ ଏସିଆରେ ବୃହତ ଶକ୍ତି ଭାବେ ଭାରତର ଅଭ୍ୟୁଦୟ ଘଟିଛି। ବହୁ ସଂଖ୍ୟାରେ ଏସିଆନ୍ ରାଷ୍ଟ୍ର ଭାରତରେ ଅର୍ଥ ବିନିଯୋଗ କରିବା ସହ ସମ୍ପର୍କକୁ ମଜଭୂତ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ୨୫ ବର୍ଷରୁ ଅଧିକ ସମୟ ଧରି ଦକ୍ଷିଣ-ପୂର୍ବ ଏସିଆରେ ଭାରତ ନିଜ ସମ୍ପର୍କକୁ ମଜଭୁତ କରି ଚାଲିଛି । ଏହି ସମସ୍ତ ରାଷ୍ଟ୍ର ମଧ୍ୟରେ ସହଭାଗିତା ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ।  ଦିଲ୍ଲୀରେ ପହଞ୍ଚିବା ପରେ ବିଦେଶୀ ଅତିଥି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି  । ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ମଧ୍ୟ ୧୦ ଏସିଆନ୍‌ ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ସାମିଲ ହେବେ।