ବିଜେପିରେ ମିଶିଲେ ୧୦ ଗୋଆ କଂଗ୍ରେସ ବିଧାୟକ

ପାଣାଜୀ: ଇସ୍ତଫା ଦେବାର ଗୋଟିଏ ଦିନ ପରେ ୧୦ ଜଣ ଗୋଆ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଦଳର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେମାନେ ଯୋଗ ଦେଇଛନ୍ତି। ସେପଟେ କର୍ଣ୍ଣାଟକାରେ ସ୍ଥିତି ଗମ୍ଭୀର ସ୍ଥିତିରେ ଥିବାବେଳେ ଏବେ ଗୋଆରେ ବିଜେପିର ‘ବିଧାୟକ ସଂଗ୍ରହ ଅଭିଯାନ’କୁ କଂଗ୍ରେସ ନେତା ଅଗଣତାନ୍ତ୍ରିକ କହି ଆଜି ସଂସଦ ସାମ୍ନାରେ ବିକ୍ଷୋଭ କରିଥିଲେ।

ବୁଧବାର ଗୋଆ କଂଗ୍ରେସର ମୋଟ ୧୫ ଜଣରୁ ୧୦ ଜଣ ବା ଦୁଇ ତୃତୀୟାଂଶ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ସେମାନେ ଗୋଆ ବିଧାନସଭାର ବାଚସ୍ପତିଙ୍କୁ ଭେଟି ପୂର୍ବରୁ କଂଗ୍ରେସ ବିଧାୟକ ଦଳର ବିଜେପି ସହିତ ମିଶ୍ରଣ ପାଇଁ ଦାବି କରିଥିଲେ। ସବୁ ଇସ୍ତଫାପତ୍ର ଉପବାଚସ୍ପତି ମାଇକେଲ ଲୋବୋଙ୍କ ଦ୍ୱାରା ଗୃହୀତ ହୋଇଥିଲା।

ଏବେ ୪୦ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିର ବିଧାୟକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ୨୦୧୭ ମସିହାରେ ୧୭ଟି ଆସନ ଜିତିଥିବା କଂଗ୍ରେସର ଆସନ ସଂଖ୍ୟା ବର୍ତ୍ତମାନ ୫କୁ ଖସିଆସିଛି। କାରଣ ବହୁ ପୂର୍ବରୁ ୨ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇସାରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି ଏବଂ ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ନେଇ ଘୋଷଣା ହେବାର ସମ୍ଭାବନା ରହିଛି।