ପାକ୍‌ ଗୁଳିରେ ନବଜାତ ଶିଶୁ ମୃତ

ଜମ୍ମୁ: ଭାରତ ସହ ବନ୍ଧୁତା ପାଇଁ ନେହୁରା ହେଉଥିବା ପାକିସ୍ତାନ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ନିଜର ଅସଲ ଚେହେରା ଦେଖାଇଛି। ପାକିସ୍ତାନର ଗୁଳିମାନରେ ଜଣେ ଶିଶୁ ପ୍ରାଣ ହରାଇଛି। ଏଥିସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଛି।

ଗତକାଲି ପାକ୍‌ ସେନା ପକ୍ଷରୁ ଜମ୍ମୁ-କଶ୍ମୀରର ଏକାଧିକ ଥର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରାଯାଇଥିଲା। ପାକ୍‌ର ଅବିଶ୍ରାନ୍ତ ଗୁଳି ଓ ମୋର୍ଟାର ମାଡ଼ରେ ଶାହପୁର ସେକ୍ଟରର ସୀମାନ୍ତ ଗାଁରେ ରହୁଥିବା ଫତିମା ଜାନ, ମହମ୍ମଦ ଆରିଫ ଓ ଫତିମାଙ୍କ ୧୦ ଦିନର ଶିଶୁ ଆହତ ହୋଇଥିଲେ।

ସେମାନଙ୍କୁ ପୁଞ୍ଚ ସ୍ଥିତ ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ୧୦ ଦିନର ଶିଶୁଟି ଆଖିବୁଜିଛି। ଏବେ ଅନ୍ୟ ଆହତମାନଙ୍କୁ ଜମ୍ମୁ ସ୍ଥିତ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।