ଧର୍ମଘଟ ପାଇଁ କାଲି ବନ୍ଦ ରହିବ ଦେଶର ୧୦ ଲକ୍ଷ ବ୍ୟାଙ୍କ,ଖୋଲା ରହିବ କିଛି ଘରୋଇ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଜରୁରୀ କାମ ଅଛି ତେବେ ଆଜି ଶେଷ କରନ୍ତୁ।  ଆସନ୍ତାକାଲି (ମଙ୍ଗଳବାର) ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ହେବ। ଫଳରେ ପ୍ରାୟ ୧୦ ଲକ୍ଷ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ସଂଘର ମିଳିତ ଫୋରମ୍‌ ଅଧୀନରେ ଥିବା ବ୍ୟାଙ୍କ ସଂଘ ଗୁଡ଼ିକ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଏଥିଯୋଗୁଁ ସରକାରୀ ବ୍ୟାଙ୍କ ଗୁଡିକରେ ବ୍ୟାଙ୍କିଙ୍ଗ୍‌ ସେବା ବ୍ୟାହତ ହେବା ଆଶଙ୍କା ରହିଛି। ତେବେ ଅନେକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ ସ୍ୱାଭାବିକ ରହିବ ବୋଲି ଜଣାପଡ଼ିଛି। ସେହି ବ୍ୟାଙ୍କ ମଧ୍ୟରେ ଅଛନ୍ତି  ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି, ଏକ୍ସିସ୍‌ ଓ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌।

ସରକାରଙ୍କ ପ୍ରସ୍ତାବିତ ବ୍ୟାଙ୍କ ମିଶ୍ରଣ ନୀତିକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟକୁ  ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।  ଏଆଇବିଓସିର ମହାସଚିବ ଡିଟି ଫ୍ରାଙ୍କୋ କହିଛନ୍ତି,“ମୁଖ୍ୟ ଶ୍ରମ କମିଶନରଙ୍କ ସହ ହୋଇଥିବା ବୈଠକ ବିଫଳ ହୋଇଛି। ଏବେ ୟୁନିୟନ୍‌ ପାଖରେ ଧର୍ମଘଟ ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ। ସରକାର ଓ ବ୍ୟାଙ୍କ ପ୍ରବନ୍ଧନଙ୍କ ପକ୍ଷରୁ କୌଣସି ଆଶ୍ୱାସନା ମିଳି ନାହିଁ।’’