ଦାହ ସଂସ୍କାର ପାଇଁ  ଯାଉଥିଲେ: ବାଟରେ ଚାଲିଗଲା ଗୋଟିଏ ପରିବାରର ୧୨ ଜଣଙ୍କ ଜୀବନ

ଭୋପାଳ: ଶବ ଦାହ କରିବାକୁ ଯାଉଥିଲେ, କିନ୍ତୁ  ନିଜେ ହୋଇଗଲେ ଶବ। ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ଯାଉଥିବା ବେଳେ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୧୨ ଜଣଙ୍କ ଜୀବନ।  ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ।

ଭୋପାଳରୁ ୪୫୬ କିଲୋମିଟର ଦୂର ମୋରେନାଠାରେ  ଗୋଟିଏ ପରିବାରର ୨୦ଜଣ ସଦସ୍ୟ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ଯାଉଥିଲେ।  ମୋରେନା ଘୁରଘାନ୍ ଗାଁ ନିକଟ ଏକ ବାଙ୍କ ରାସ୍ତାରେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଫଳରେ ଜିପ୍‌ଟି ପୂରା ଚୂରମାର ହୋଇଯାଇଥିଲା।

ଘଟଣାସ୍ଥଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ୨ ଜଣଙ୍କ ଅବସ୍ଥା ଗୁରୁତର  ଥିବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଜିପ୍‌ରେ ଥିବା ଆଉ ୮ ଜଣ ଆହତ ହୋଇଛନ୍ତି।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମୋରେନା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା।