ଷ୍ଟଣ୍ଟ ସିନ୍‌ରୁ ଜୀବନ ଶେଷ : ଜଳିଗଲା ୧୨ ବର୍ଷର ପିଲା

ହାଇଦ୍ରାବାଦ:ହାଇଦ୍ରାବାଦର ଭେଙ୍କଟପୁରମରେ ଘଟିଛି ଏକ ଅଭାବନୀୟ ଘଟଣା। ଟିଭି  ଦେଖି ଷ୍ଟଣ୍ଟ ସିନ୍‌ ନକଲ କରିବା ପାଇଁ ଉଦ୍ୟମ କରୁଥିବା ଜଣେ ଛୋଟ ପିଲା ପାଇଁ କାଳ ହୋଇଛି। ଷ୍ଟଣ୍ଟ ସିନ୍‌ ଦେବାକୁ ଯାଇ ଶିଶୁଟି ଜଳିଯାଇଛି। ସୂଚନା ଅନୁଯାୟୀ ଜୟଦୀପ ମଦୁଗୁଲା(୧୨) ନାମକ ପିଲାଟି ଗତ ୫ ବର୍ଷ ହେବ ଭେଙ୍କଟପୁରମରେ ନିଜ ଜେଜେ ବାପା ଏବଂ ଜେଜେ ମା’ ସହ ରହି ଆସୁଥିଲା। ଗତ ଗୁରୁବାର ରାତିରେ ପିଲାଟି ଡିନର ସାରି ଟିଭିର କାର୍ଟୁନ ଶୋ’ ଦେଖି  ଉତ୍ସାହିତ ହୋଇପଡ଼ିଥିଲା । ସେତେବେଳେ ତା’ର ଜେଜେ ବାପା ଏବଂ ଜଜେ ମା’  କିଛି ଘର କାମରେ ବ୍ୟସ୍ତ ଥିଲେ। ପିଲାଟି ଛାତ ଉପରକୁ ଯାଇଥିଲା।

ଗଲାବେଳେ ନିଜର ଷ୍ଟଣ୍ଟ ସିନ୍‌ ଦେଖିବାକୁ ତା’ର ଜେଜେ ବାପାକୁ ଡାକିଥିଲା। ହେଲେ ସେ ବ୍ୟସ୍ତ ଥିଲେ। କିଛି ସମୟ ପରେ ତା’ର ଜେଜେ ବାପା ଓ ଜେଜେ ମା’ ହଠାତ ଛାତ ଉପରୁ ଏକ ବଡ଼ ଚିତ୍କାର ଶୁଣିବାକୁ ପାଇଥିଲେ। ଉଭୟେ ଛାତ ଉପରକୁ ଦଉଡ଼ିକି ଯିବା ବେଳକୁ ପିଲାଟି ଜଳୁ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାକୁ ମେଡିକାଲ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାକୁ ଶନିବାର ମୃତ୍ୟୁ ଘୋଷଣା କରିଥିଲେ।

ସୌଜନ୍ୟ ଟାଇମସ୍‌ ଅଫ ଇଣ୍ଡିଆ