ବିଜେପିର ୩୦୩ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୩୧ ନୂଆ

ନୂଆଦିଲ୍ଲୀ: ବିଜେପି ଟିକେଟ୍‌ରେ ୩୦୩ ଜଣ ସାଂସଦ ଏଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୧୩୧ ଜଣ ପ୍ରଥମର ଲୋକସଭା ଯିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ନୂଆ ସାଂସଦ ତାଲିକାରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବ୍ୟତୀତ ଏକାଧିକ ଅଭିନେତା ଓ ଖେଳାଳି ରହିଛନ୍ତି।

ସନ୍ନି ଦେଓଲ, ଗୌତମ ଗମ୍ଭୀର ଓ ହଂସରାଜ ହଂସ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ସେହିପରି ‘ଓଡ଼ିଶାର ମୋଦି’ ଭାବେ ପରିଚିତ ପ୍ରତାପ ଷଡ଼ଙ୍ଗୀ(ବାଲେଶ୍ୱର), ତେଜସ୍ୱୀ ସୂର୍ଯ(ଦକ୍ଷିଣ ବେଙ୍ଗାଲୁରୁ), ରାଜଦୀପ ରୟ, ଜ୍ୟୋର୍ତିମୟୀ ମାହାତୋ(ପୁରୁଲିଆ)ଙ୍କ ଭଳି ସାଦାସିଧା ବ୍ୟକ୍ତିମାନେ ବିଜେପି ଟିକେଟ୍‌ରୁ ପ୍ରାର୍ଥୀ ହୋଇ ନିର୍ବାଚନ ବୈତରଣୀ ପାର ହୋଇଛନ୍ତି।

ସେହିପରି ସର୍ବଦା ନିଜର ତୁଣ୍ଡ ପାଇଁ ବିବାଦୀୟ ହେଉଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀ ମଧ୍ୟରୁ ସର୍ବାଧିକ ୨୦ ଜଣ ଉତ୍ତର ପ୍ରଦେଶରୁ ରହିଛନ୍ତି। ଉତ୍ତର ପ୍ରଦେଶରେ ବିଜେପି ଏକାକୀ ୮୦ଟି ଆସନରୁ ୬୨ଟିରେ ଜିତିଛି। ଉତ୍ତର ପ୍ରଦେଶର ଗୋରଖପୁରରୁ ଭୋଜପୁରୀ ଫିଲ୍ମଜଗତର ସୁପରଷ୍ଟାର ରବି କିଷନ ପ୍ରଥମଥର ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ଯୋଗୀଙ୍କ ମନ୍ତ୍ରିମଣ୍ଡଳରେ ଥିବା ରିତୁ ବହୁଗୁଣା ଯୋଶୀ ଆହ୍ଲାବାଦ ଆସନରୁ ଜିତିଥିବା ବେଳେ ଦେଓରିଆ ଆସନରୁ ରାମପତି ରାମ ତ୍ରିପାଠୀ ବିଜୟୀ ହୋଇଛନ୍ତି। ଏହାବାଦ ସଂଘମିତ୍ରା ମୌର୍ଯ୍ୟ, ଜୟ ପ୍ରକାଶ, ରାଜବୀର ଦିଲେର, ଅନୁରାଗ ଶର୍ମା, ଅରୁଣ କୁମାର ସାଗର ଓ ପ୍ରଦୀପ କୁମାର ରହିଛନ୍ତି।

ଉତ୍ତର ପ୍ରଦେଶ ପରେ ପଶ୍ଚିମବଙ୍ଗରୁ ଦ୍ୱିତୀୟ ସର୍ବାଧିକ ପ୍ରାର୍ଥୀ ବିଜୟୀ ହୋଇ ପ୍ରଥମଥର ଲୋକସଭାକୁ ଯିବାକୁ ଯୋଗ୍ୟତା ପାଇଛନ୍ତି। ବିଜେପି ଏଠାରେ ୧୮ଟି ଆସନ ଜିତିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ ପୁରୁଣା ପ୍ରାର୍ଥୀ ଥିବା ବେଳେ ବାକି ୧୫ ଜଣ ପ୍ରଥମଥର ଲୋକସଭାକୁ ଯିବେ। ମଧ୍ୟପ୍ରଦେଶର ୨୯ଟି ଆସନରୁ ବିଜେପି ୨୮ଟିରେ ଜିତିଛି। ଏହି ୨୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ପ୍ରଥମଥର ସାଂସଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କଂଗ୍ରେସ ହେଭିୱେଟ୍‌ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନ୍ନା ଆସନରେ ପରାସ୍ତ କରିଥିବା କେପି ଯାଦବ ରହିଛନ୍ତି।

ଗୁଜରାଟର ସମସ୍ତ ୨୬ଟି ଲୋକସଭା ଆସନ ଜିତି ବିଜେପି ପୂରା କ୍ଲିନ୍‌ସୁଇପ୍‌ କରିଛି। ଏହି ୨୬ ଜଣଙ୍କ ମଧ୍ୟରୁ ୧୦ ଜଣ ପ୍ରଥମଥର ନିର୍ବାଚନ ଲଢ଼ି ଲୋକସଭାକୁ ଯାଇଛନ୍ତି। ଛତିଶଗଡ଼, କର୍ଣ୍ଣାଟକା ଓ ମହାରାଷ୍ଟ୍ରରୁ ୯ ଜଣ ଏମିତି ସାଂସଦ ଅଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ ଲୋକସଭା ଯିବେ। ଆସାମରୁ ୭ ଜଣ, ଓଡ଼ିଶାରୁ ୬, ହରିଆଣାରୁ ୪, ତେଲେଙ୍ଗାନାରୁ ୪, ବିହାରରୁ ୩, ହିମାଚଳ ପ୍ରଦେଶ, ଦିଲ୍ଲୀ, ତ୍ରିପୁରା ଓ ପଞ୍ଜାବରୁ ୨ ଜଣ ଲେଖାଏ ସାଂସଦ ପ୍ରଥମଥର ପାଇଁ ଲୋକସଭାକୁ ଯିବେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ ଏଥର ବିଜେପି ଟିକେଟ୍‌ରୁ ୮ ଜଣ ବିଜୟୀ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରେ ୬ ଜଣ ନୂଆ। ଜୁଏଲ ଓରାମ ଓ ସଂଗୀତା ସିଂହଦାଓ ପୂର୍ବରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।