କଂସବଧ ନେଲା ସତସତିକା ଜୀବନ

ଲକ୍ଷ୍ନୌ: କଂସବଧ ଦେଖିବାକୁ ଆସିଥିଲେ କିନ୍ତୁ ଯେଉଁ ଅସ୍ତ୍ରରେ କଂସ ପ୍ରତିକୃତିର ଜୀବନ ଯିବାର ଥିଲା, ତାହା ନେଇଛି ୧୪ ବର୍ଷର ଜଣେ ପିଲାର ଜୀବନ। ଉତ୍ତରପ୍ରଦେଶର ଏହି ଘଟଣାରେ ଏହି ପିଲାଟି ‘ଭଗୱତ୍ କଥା’ ଶୁଣିବାପାଇଁ ଆସିଥିଲା କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।

ପୁଲିସ୍‌ ସୂଚନା ଅନୁଯାୟୀ ପ୍ରତିଥର ପରି ଏଥର ମଧ୍ୟ କଂସ ପ୍ରତିକୃତି ଏକ ଗଛରେ ଝୁଲୁଥିଲା। ଏହାକୁ ହତ୍ୟା କରିବାର ପ୍ରଥା ପାଳନ ପୂର୍ବକ କଂସ ଉପରେ ଗୁଳି ଚାଳନା କରାଯାଇଥିଲା। କିନ୍ତୁ ଗୁଳି କଂସର କିଛି ମଧ୍ୟ କ୍ଷତି ନକରି ପାଖରେ ଛିଡ଼ା ହୋଇ ଏହି କାର୍ଯ୍ୟକ୍ରମ ଦେଖୁଥିବା ୧୪ ବର୍ଷର ପିଲା ପ୍ରଦୀପର ଛାତିରେ ବାଜିଥିଲା ଏବଂ ସେ ଘଟଣା ସ୍ଥଳରେ ହିଁ ଟଳିପଡ଼ିଥିଲା।

ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଏହା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଛି ବୋଲି ଡାକ୍ତର ଘୋଷଣା କରିଥିଲେ। ଉତ୍ତରପ୍ରଦେଶରେ ବାହାଘର ଏବଂ ବିଭିନ୍ନ ପର୍ବପର୍ବାଣୀରେ ଏପରି ଗୁଳିଚାଳନାର ପ୍ରଥାକୁ ପ୍ରଶାସନ ନିଷିଦ୍ଧ ଘୋଷଣା କରିଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିନାହିଁ।