ପାଚେରୀ ଭୁଶୁଡ଼ି ୧୫ ମୃତ, ୧୫ ଜଣଙ୍କ ନାମରେ ମାମଲା

ପୁଣେ: ପୁଣେ କୋନ୍ଧୱା ଅଞ୍ଚଳର ବଡ଼ା ତଲାବ୍‌ ମସଜିଦ୍‌ ନିକଟରେ ଏକ ଆପାର୍ଟମେଣ୍ଟର ପାଚେରୀ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ଅଛନ୍ତି। ବିଳମ୍ବିତ ରାତି ୧.୩୦ରୁ ୨ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ ଏହି ଦୁର୍ଘଟଣା ପଛରେ ନିର୍ମାଣ ଜନିତ ଅନିୟମିତତା ଓ ତ୍ରୁଟି ମୁଖ୍ୟ କାରଣ ହୋଇଥିବା କୁହାଯାଉଛି। ତେବେ ଶେଷ ଖବର ସୁଦ୍ଧା ଡେଭେଲପର, କଣ୍ଟ୍ରାକ୍ଟର ଏବଂ ସାଇଟ୍‌ ଇଞ୍ଚିନିୟରଙ୍କ ସମେତ ୧୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଶନିବାର ମଧ୍ୟରାତ୍ର ପରେ ପରେ ଆଲକନ୍‌ ଷ୍ଟାଇଲସ୍‌ ହାଉସିଂ ସୋସାଇଟି ନାମକ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି। ଆପାର୍ଟମେଣ୍ଟର ପାଚେରୀକୁ ଲାଗି ଏକ ଅସ୍ଥାୟୀ ଝୋପଡ଼ିରେ ଶ୍ରମିକମାନେ ସପରିବାର ରହୁଥିଲେ। ସମସ୍ତ ମୃତକ ବିହାରର କଟିହାର ଜିଲ୍ଲାର ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆରଏଫ୍‌ ଟିମ୍‌ ଏହି ଦୁର୍ଘଟଣା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ବଡ଼ ଭୂମିକା ନେଇଥିଲେ। ଏଥିରେ ୫ଟି ଦମକଳ ଗାଡ଼ି, ୨ଟି ଜେସିବି ଆର୍ଥ ମୁଭର ଏବଂ ଅନ୍ୟ ଯନ୍ତ୍ରପାତି ନିୟୋଜିତ କରାଯାଇଥିଲା।

ଗତ କିଛି ଦିନ ଧରି ପୁଣେରେ ମୂଷଳ ଧାରାରେ ବର୍ଷା ପାଚେରୀ ଭୁଶୁଡ଼ିବାର ଅନ୍ୟତମ କାରଣ କୁହାଯାଉଛି। ବିଶେଷ କରି ଜୁନ୍‌ ୨୭ ଏବଂ ୨୮ରେ ପୁଣେରେ ୭୩ ମିମି ବର୍ଷା ରେକର୍ଡ ହୋଇଥିଲା। ୨୦୧୦ ମସିହା ପରଠାରୁ ୪୮ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ସର୍ବାଧିକ ପରିମାଣର ବର୍ଷା। ଏପରି ବର୍ଷା କାରଣରୁ କାନ୍ଥ ପାଖ ମାଟି ଧସି ଯାଇ ଏଥିପ୍ରତି ବିପଦ ସାଜିଥିବ ବୋଲି ସନ୍ଦେହ କରାଯାଉଥିବା ପୁଣେ ମୁନିସିପାଲ କମିଶନର ସୌରଭ ରାଓ କହିଛନ୍ତି। ଅନ୍ୟପକ୍ଷରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, ଏହି ଦୁର୍ବଳ ପାଚେରୀ ମରାମତି କରାଯିବା ସ୍ଥିତିରେ ଥିଲା।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପୁଣେ ଜିଲ୍ଲାପାଲ ନାଭାଲ କିଶୋର ରାମଙ୍କୁ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “କୋନ୍ଧୱା କାନ୍ଥ ଭୁଶୁଡ଼ିବା ଘଟଣା ସମ୍ପର୍କରେ ଜାଣି ଦୁଃଖିତ। ମୃତକଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।”

ଏହି ଦୁଃଖଦ ଘଟଣାରେ ମୃତକ ମାନେ ହେଲେ ଆଲୋକ ଶର୍ମା, ମୋହନ ଶର୍ମା, ଅଜୟ ଶର୍ମା, ରବି ଶର୍ମା, ଲକ୍ଷ୍ମିକାନ୍ତ ସାହାନୀ, ସୁନୀଲ ସିଂହ, ଭୀମା ଦାସ, ଅବଧେଶ ସିଂହ ଏବଂ ଦୀପରଞ୍ଜନ ଶର୍ମା। ସେହିଭଳି ଓଭି ଦାସ, ସୋନାଲି ଦାସ, ଅଜିତ କୁମାର ଶର୍ମା ଏବଂ ରେଖାଲ କୁମାର ଶର୍ମା ନାମକ ୪ ଜଣ ଶିଶୁ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି। ଦୁଇ ଜଣ ମହିଳା ସଙ୍ଗୀତା ଦେବୀ ଏବଂ ନିଭା ଦେବୀ ମଧ୍ୟ ଏଥିରେ ପ୍ରାଣ ହରାଇଛନ୍ତି।

ମୃତକ ମାନଙ୍କ ମୃତଦେହର ପୋଷ୍ଟମର୍ଟମ୍‌ ସାସୂନ୍‌ ଜେନେରାଲ ହସ୍ପିଟାଲରେ କରାଯାଇଥିଲା। ସେହି ହସ୍ପିଟାଲରେ ହିଁ ଆହତଙ୍କ ଚିକିତ୍ସା ଜାରି ରହିଛି। ମୃତକଙ୍କ ମରଶରୀର ବିମାନ ଯୋଗେ ପାଟନା ପଠାଯିବ। ଏହାପରେ ସେଠାରୁ ସେମାନଙ୍କ ଗାଁକୁ ପଠାଯିବ।