ଆଦିତ୍ୟନାଥ ତୁମେ ୧୬ ଫୁଟ୍‌ ସାବୁନ୍‌ରେ ଗାଧୋଇକି ଆସ : ପଢନ୍ତୁ କାହିଁକି ତାତିଲେ ଏମାନେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପରେ ଗୁଜରାଟ। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ୧୬ ଫୁଟ୍‌ ଲମ୍ବର ସାବୁନ୍‌ ଉପହାର  ପଠାଇବା ପାଇଁ ଗୁଜରାଟର ଏକ ଦଳିତ ଗୋଷ୍ଠୀ ଯୋଜନା କରିଛନ୍ତି। ଏଥିପାଇଁ ଏହି ବଡ଼ ସାବୁନ ତିଆରି ପାଇଁ ଯୋଜନା ହୋଇଛି।  ଗୁଜରାଟରେ ଦଳିତମାନଙ୍କୁ ଭେଟିବା ପୂର୍ବରୁ ଏହି ସାବୁନରେ ଗାଧୋଇ ଆସିବା ପାଇଁ ନିବେଦନ କରାଯିବ। ଜାତିବାଦକୁ ନେଇ ଯୋଗୀ ଆଦିତ୍ୟନାଥ ଯେଉଁ ଭଳି ରାଜନୀତି କରୁଛନ୍ତି ପ୍ରଥମେ ସିଏ ନିଜେ ସ୍ୱଚ୍ଛ ହେବା ଉଚିତ୍‌ ବୋଲି ଏହି ଦଳିତ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଗୁଜରାଟର ଡ.ଆମ୍ବେଦକର ସମିତି ପକ୍ଷରୁ ଗୁରୁବାର ଏହା କୁହାଯାଇଛି। ସାବୁନଟି ତିଆରି ସରିଲେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରି  ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଷିତ ହେବ। ପରେ ଏହାକୁ ପଠାଯିବ। ଏହି ଦଳିତ ଗୋଷ୍ଠୀ ଅଭିଯୋଗ କରିଛି ଯେ ଯୋଗୀ ଆଦିତ୍ୟନାଥ ଶାସନକୁ ଆସିବା ପରେ ପଛୁଆବର୍ଗର ଲୋକେ ଅସୁରକ୍ଷିତ ମଣୁଛନ୍ତି।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଖୁସିନଗର ଜିଲ୍ଲାର ଶହେ ଜଣ ଦଳିତ ମହିଳା ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ଏମିତି ୧୬ ଫୁଟ୍‌ ଲମ୍ବର ସାବୁନ ତିଆରି କରି ପଠାଇଥିଲେ। ଦଳିତଙ୍କୁ ଭେଟିବା ପୂର୍ବରୁ ପ୍ରଥମେ ସେ ନିଜେ ଏହି ସାବୁନରେ ଗାଧୋଇବାକୁ କୁହାଯାଇଥିଲା।