୧୭ ଆମେରିକୀୟ ଗୁଇନ୍ଦାଙ୍କୁ ଇରାନରେ ମୃତ୍ୟୁଦଣ୍ଡ

ଦୁବାଇ: ଆମେରିକା ଓ ଇରାନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଆମେରିକା ଗୁଇନ୍ଦା ସଂସ୍ଥା ସିଆଇଏ ପାଇଁ କାମ କରୁଥିବା ୧୭ ଜଣ ଅଧିକାରୀଙ୍କୁ ଇରାନ ପକ୍ଷରୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।

ଏହି ସିଆଇଏ ଅଫିସରମାନେ ଇରାନ୍‌ରେ ରହି ଗୁଇନ୍ଦାଗିରି କରୁଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଆମେରିକା କିମ୍ବା ସିଆଇଏ ପକ୍ଷରୁ କୌଣସି ପ୍ରତିକ୍ରିୟା ଏଯାଏ ମିଳିନାହିଁ।

ଜୁନ୍‌ ମାସରେ ସିଆଇଏର ଗୁଇନ୍ଦାଗିରିର ପର୍ଦ୍ଦାଫାସ ହୋଇଥିବା ଇରାନ ପକ୍ଷରୁ କୁହାଯାଇଥିଲା। ତେବେ ସୋମବାର ମୃତ୍ୟୁଦଣ୍ଡ ପାଇଥିବା ଅଧିକାରୀଙ୍କ ସହ ଏହାର କିଛି ସମ୍ପର୍କ ଅଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ। ମୃତ୍ୟୁଦଣ୍ଡ ପାଇଥିବା ୧୭ ଜଣ ଗୁଇନ୍ଦା ଅଧିକାରୀଙ୍କୁ ୨୦୧୯ ମାର୍ଚ୍ଚ ମାସରେ ଗିରଫ କରାଯାଇଥିଲା।

ଏମାନେ ଇରାନରେ ରହି ଅର୍ଥନୀତି, ପରମାଣୁ ପ୍ରକଳ୍ପ, ଭିତ୍ତିଭୂମି, ପ୍ରତିରକ୍ଷା ଓ ସାଇବର୍ ଆଦି ବିଷୟରେ ଗୁଇନ୍ଦାଗିରି କରୁଥିଲେ। ଏଠାରୁ ତଥ୍ୟ ସଂଗ୍ରହ କରି ଏହି ଗୁଇନ୍ଦା ଅଧିକାରୀମାନେ ଆମେରିକାରକୁ ସବୁ କଥା ଜଣାଉଥିଲେ।