ପଶ୍ଚିମବଙ୍ଗରେ ଡାକ୍ତରଙ୍କ ହରତାଳ,୧୮ ଜଣ ଇସ୍ତଫା ଦେଲେ

କୋଲକାତା: ପଶ୍ଚିମବଙ୍ଗର ଡାକ୍ତରଙ୍କ ଆନ୍ଦୋଳନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଖିଥିବା ମନ୍ତବ୍ୟକୁ ଡାକ୍ତରମାନେ କଡ଼ା ବିରୋଧ କରିଛନ୍ତି। ଏବେ ସାରା ଦେଶର ଡାକ୍ତରମାନେ ପଶ୍ଚିମବଙ୍ଗର ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଆଜି ରାଜ୍ୟର ୧୮ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଦାର୍ଜିଲିଙ୍ଗ ସ୍ଥିତ ନର୍ଥ ବେଙ୍ଗଲ ମେଡିକାଲ କଲେଜ ଏବଂ ହସ୍ପିଟାଲର ଦୁଇ ଜଣ ଡାକ୍ତର ଥିବା ବେଳେ ବାକି ୧୬ ଜଣ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ରାଜ୍ୟରେ ଦେଖାଦେଇଥିବା ହିଂସା ଓ ହରତାଳ ସ୍ଥିତିରେ କାମ କରିବା ତାଙ୍କ ପାଇଁ ଅସମ୍ଭବ ଦର୍ଶାଇ ସେମାନେ ଇସ୍ତଫା ଦେଇଛନ୍ତି।

ଗତକାଲି ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ମମତା ବାନାର୍ଜୀ କହିଥିଲେ, “ମୁଁ ଡାକ୍ତରଙ୍କ ଆନ୍ଦୋଳନକୁ ନିନ୍ଦା କରୁଛି। ପୁଲିସମାନେ ଡ୍ୟୁଟିରେ ଥିବା ବେଳେ ସହିଦ ହୋଇଯାଉଛନ୍ତି, ହେଲେ ଆନ୍ଦୋଳନ କରୁନାହାନ୍ତି।” ତେଣୁ ଶୀଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ ଚେତାବନୀ ଦେଇଥିଲେ। ସେ ଏହି ଆନ୍ଦୋଳନ ପଛରେ ବିଜେପି ଓ ସିପିଏମର ଭୂମିକା ଥିବା ଅଭିଯୋଗ କରିଥିଲେ।

ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ଏନଆରଏସ ହସ୍ପିଟାଲରେ ଚିକିତ୍ସାରେ ଅସନ୍ତୋଷ ପ୍ରକାଶ କରି ଜଣେ ମୃତ ରୋଗୀଙ୍କ ପରିବାର ଚିକିତ୍ସାରେ ନିୟୋଜିତ ଥିବା ଜୁନିୟର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।ଏହାପରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ଡାକ୍ତରମାନଙ୍କ ହରତାଳ ଫଳରେ ରୋଗୀ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।