ଡେରା ଆଲିଶାନ ଆଶ୍ରମରୁ ବାହାରିଲେ ୧୮ ତରୁଣୀ , ରାମରହିମଙ୍କ ଦିନକୁ ମଜୁରି ୪୦ ଟଙ୍କା

ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ସିଂହ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯିବା ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି। ହରିୟାଣାର ସିର୍ସାରେ ଥିବା ବାବାଙ୍କ ଡେରା ଆଶ୍ରମର ଗୁମର ଫିଟିବାରେ ଲାଗିଛି। ହେଲେ ଏବେ ଯେଉଁ ତଥ୍ୟ ଆସିଛି ତାହା ଖୁବ୍‌ ଚାଞ୍ଚଲ୍ୟକର। ବାବାଙ୍କ ଆଶ୍ରମରେ ଥିବା ଗୁମ୍ଫା ମଧ୍ୟରୁ ଆଜି ୧୮ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଯୁବତୀମାନଙ୍କର ବୟସ ୧୪ରୁ ୧୮ ମଧ୍ୟରେ ହେବ। ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଏହି ଯୁବତୀମାନେ ଏବେ ରାଜ୍ୟର ବିଭିନ୍ନ ଶିଶୁ ସୁରକ୍ଷା କମିଟିର ହେପାଜତରେ ରହିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏବେ ମାତ୍ର ୨୫୦ରୁ ୩୦୦ ଲୋକ ଆଶ୍ରମ ଭିତରେ ରହିଛନ୍ତି।

ସେହିପରି ସୀର୍ସାରେ ଲାଗୁ ହୋଇଥିବା କର୍ଫ୍ୟୁକୁ କୋହଳ କରାଯାଇଛି। କିନ୍ତୁ ଡେରା ଅଶ୍ରମଠାରୁ ୮ କିମି ବଳୟ ମଧ୍ୟରେ କର୍ଫ୍ୟୁ ବଳବତ୍ତର ରଖାଯାଛି। ସେପଟେ ରାମ୍ ରହିମ ସିଂହଙ୍କ ନୂଆ ଠିକଣା ସାଜିଛି ରୋହତକ୍ର ସୁନାରିଆ ଜେଲ୍। ଜେଲ ନିୟମ ଅନ୍ତର୍ଗତ ତାଙ୍କୁ ମାଳିକାମ କରିବାକୁ ପଡିବ ଏଥିପାଇଁ ଦୈନିକ ମିଳିବ ୪୦ ଟଙ୍କା । ଅନ୍ୟପଟେ କିଏ ହେବ ରାମ୍ ରହିମଙ୍କ ଉତ୍ତରାଧିକାରୀ। ତାକୁ ନେଇ ଚର୍ଚ୍ଚା ଚାଲିଛି। ତାଙ୍କ ତଥାକଥିତ ପାଳକା ଝିଅ ହନିପ୍ରୀତ୍ ହିଁ ଉତ୍ତରାଧିକାରୀ ରେସ୍‌ରେ ବାଜିମାରିବେ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ବିବାଦୀୟ ବାବା ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଅନୁଗାମୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଥିଲେ।

ହିଂସାକାଣ୍ଡରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬୯ ଜଣ ଆହତ ହୋଇଥିଲେ। ୨୦୦୨ରେ ବାବାଙ୍କ ବିରୋଧରେ ୨ ଜଣ ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ପଞ୍ଚକୁଲାର ଆଶ୍ରମ ଭିତରେ ବାବା ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ହରିୟାଣାର ପଞ୍ଚକୁଲାର ସିବିଆଇ କୋର୍ଟରେ ଏହି ମାମଲା ବିଚରାଧୀନ ଥିବା ବେଳେ ୧୫ ବର୍ଷ ପରେ ଅର୍ଥାତ ଗତ ୨୫ ତାରିଖରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟବସ୍ତ କରିଥିଲେ। ଏହି ମାମଳାରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।