ପରମାଣୁ ପରୀକ୍ଷାକୁ ୧୯ବର୍ଷ: କିଏ ଲେଖିଥିଲା ପୋଖରାନ୍‌ର ଗୁପ୍ତ ପାଞ୍ଜି ?

ସମଗ୍ର ବିଶ୍ୱରେ ଭାରତ ଆଜି ଏକ ବିଶ୍ୱଶକ୍ତି ରୂପେ ଉଭା ହୋଇଛି। ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତ। ଶତ୍ରୁପକ୍ଷକୁ ଉଚିତ ଜବାବ୍ ଦେବାକୁ ସକ୍ଷମ ଭାରତ। ୧୯ ବର୍ଷ ପୂର୍ବେ ଆଜିର ଦିନରେ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରି ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଥିଲା ସମଗ୍ର ବିଶ୍ୱ ଆଗରେ। ତେବେ ଆସନ୍ତୁ ଜାଣିବା ପୋଖରାନ ପରମାଣୁ ପରୀକ୍ଷା ବିଷୟରେ ଏମିତି କିଛି ରୋଚକ ତଥ୍ୟ ଯାହା ଆପଣଙ୍କୁ ଭାରତୀୟ ଭାବେ ଗର୍ବିତ କରିବ।

pokharan 3୧୯୭୪ରେ ପ୍ରଥମ ଥର ପାଇଁ ରାଜସ୍ଥାନର ପୋଖରାନ୍‌ରେ ପରମାଣୁ ପରୀକ୍ଷା କରି ଭାରତ ବିଶ୍ୱ ସମୁଦାୟର ତୀକ୍ଷ୍ନ ନଜରକୁ ଚାଲି ଆସିଥିଲା। ସେଥିପାଇଁ ବିଭିନ୍ନ ଦେଶର ଆର୍ଥିକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିଲା ଭାରତ। ତେବେ ୧୯୯୮ ମେ ୧୧ରେ ପୋଖରାନ ପରମାଣୁ ବୋମା ପରୀକ୍ଷାର ଦ୍ୱିତୀୟ ଅଧ୍ୟାୟ ଦେଖିଥିଲା ସମଗ୍ର ବିଶ୍ୱ। ଏହି ପରମାଣୁ ପରୀକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏହାର ପୁନାଦି ଖୋଳିଥିଲେ ଭାରତର ଦୁଇ ମହାନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ସ୍ୱର୍ଗତଃ ରାଷ୍ଟ୍ରପତି ଡକ୍ଟର ଏ.ପି.ଜେ ଅବୁଦୁଲ୍ କଲାମ।

ଏହି ପରମାଣୁ ପରୀକ୍ଷଣ ଏତେ ଗୁପ୍ତ ଭାବରେ କରାଯାଇଥିଲା ଯେ କୌଣସି ଦେଶ ଏହାର ସୁରାକ ମଧ୍ୟ ପାଇନଥିଲା। ପୂର୍ବରୁ ୧୯୯୫ରେ ପରମାଣୁ ପରୀକ୍ଷଣ ପାଇଁ ଭାରତ ପ୍ରସ୍ତୁତ ହେଉଥିବା ଖବର ଆମେରିକା ପାଇଥିଲା, ତେଣୁ ପୋଖରାନ ପାର୍ଟ-୨ ପାଇଁ ବେଶ୍ ସର୍ତକତା ଅବଲମ୍ୱନ କରିଥିଲା ଭାରତ। ଆମେରିକା ଓ ବିଭିନ୍ନ ଦେଶର ସାଟେଲାଇଟ୍ ନଜରରୁ ରକ୍ଷା ପାଇବା ପାଇଁ ଏହି ପରୀକ୍ଷଣ ମାଟି ତଳେ କରାଯାଇଥିଲା। ଆଉ ଭାରତର ରଣନୀତି କୌଶଳ ଆଗରେ ହାର ମାନିଥିଲା ଆମେରିକା।

କିଛି ଗୋପନ କଥା…

nuclear test 1ଭାରତର ପୋଖରାନ-୨ ନ୍ୟୁକ୍ଲିୟର ପରୀକ୍ଷଣ ଅତି ଗୋପନୀୟ ଭାବେ କରାଯାଇଥିଲା। କୌଣସି ବି ମନ୍ତ୍ରୀ କିମ୍ୱା ସରକାରୀ ପଦାଧିକାରୀ ଟିକିଏ ବି ଟେର ପାଇନଥିଲେ ପରୀକ୍ଷଣ ବାବଦରେ। ସାଟେଲାଇଟ୍ ନଜରକୁ ମାତ୍ ଦେବା ପାଇଁ ସମସ୍ତ କାମ ରାତିର ଅନ୍ଧକାର ଭିତରେ କରାଯାଇଥିଲା। ଏପରିକି ଆମେରିକାର ସ୍ପାଇ ସାଟେଲାଇଟ ରାଡାରକୁ ନ ଆସିବା ପାଇଁ ଭିନ୍ନ କୌଶଳ ଅବଲମ୍ୱନ କରିଥିଲା ଭାରତ। ଯେଉଁ ପଡିଆରେ ପରୀକ୍ଷଣ ହେବାକୁ ସ୍ଥିର ହୋଇଥିଲା, ଦିନ ସମୟରେ ସେ ସ୍ଥାନରେ ସେନା ତରଫରୁ ବିଭିନ୍ନ ପ୍ରତିଯୋଗିତା କରାଯାଉଥିଲା।ତେବେ  ସେନା ପୋଷାକ ପିନ୍ଧି ପଡିଆକୁ ଓହ୍ଲାଉଥିଲେ କିଛି ବଛା ବଛା ବୈଜ୍ଞାନିକ ଯେଉଁମାନେ ପରୀକ୍ଷଣ ପାଇଁ ପଡିଆ ଉପଯୁକ୍ତ କି ନାହିଁ ତାହାର ତର୍ଜମା କରୁଥିଲେ।

ପରୀକ୍ଷଣ ପାଇଁ ଆବଶ୍ୟକୀୟ ସମସ୍ତ ଜିନିଷ ଆଳୁ ଓ ପିଆଜ ବୋଝେଇ ଟ୍ରକ୍ ମାଧ୍ୟମରେ ପରୀକ୍ଷଣ ପାଇଁ ସ୍ଥିର ହୋଇଥିବା ସ୍ଥାନକୁ ପଠାଯାଉଥିଲା।ଏପରିକି ପାଖରେ ଥିବା ଗାଁ ଲୋକ ମାନେ ମଧ୍ୟ କୌଣସି ସୁରାକ୍ ପାଇନଥିଲେ ପରୀକ୍ଷଣ ବିଷୟରେ। ଶେଷରେ ମେ ୧୧ ୧୯୯୮ରେ ଭାରତ ନ୍ୟୁକ୍ଳିୟର ପରୀକ୍ଷଣ କରି ସମଗ୍ର ବିଶ୍ୱକୁ ତାଜୁବ କରି ଦେଇଥିଲା। ଏହି ପରମାଣୁ ପରୀକ୍ଷଣକୁ “ଅପରେସନ୍ ଶକ୍ତି” ରୂପରେ ନାମିତ କରାଯାଇଥିଲା।