ଭାରତ ପ୍ରଥମ ବେଆଇନ୍‌ ଅପ୍ରବାସୀ ଅଟକ କେନ୍ଦ୍ରର ଆକାର କେତେ

ଗୋଆଲପରା: ଆସାମ ନ୍ୟାଶନାଲ ରେଜିଷ୍ଟର ଅଫ୍ ସିଟିଜେନଶିପ୍‌(ଏନ୍‌ଆରସି) ତାଲିକାରୁ ବାଦ୍‌ ପଡ଼ିଥିବା ବେଆଇନ୍‌ ଅପ୍ରବାସୀମାନଙ୍କୁ ରଖିବା ପାଇଁ ଏବେ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ଗୁଆହାଟୀ ଠାରୁ ୧୫୦ କିମି ଦୂରରେ ଭାରତର ପ୍ରଥମ ବେଆଇନ୍‌ ଅପ୍ରବାସୀ ଅଟକ କେନ୍ଦ୍ରର ନିର୍ମାଣ ଜୋରସୋରରେ ଚାଲିଛି।  ଏନ୍‌ଆରସି ତାଲିକାରୁ ପ୍ରାୟ ୧୯ ଲକ୍ଷ ଲୋକ ବାଦ ପଡ଼ିଥିଲେ। ଅର୍ଥାତ ଏମାନେ ଭାରତୀୟ ହେବାର ଯୋଗ୍ୟତା ହରାଇଛନ୍ତି।

ଭାରତର ପ୍ରଥମ ବେଆଇନ୍‌ ପ୍ରବାସୀ ଅଟକ କେନ୍ଦ୍ରକୁ ୨.୫ ହେକ୍ଟେରରୁ ଅଧିକ ଜମିରେ ନିର୍ମାଣ ହେଉଛି। ଅର୍ଥାତ ଏହାର ଆକାର ୭ଟି ଫୁଟବୁଲ ପଡ଼ିଆ ଠାରୁ ବଡ଼ ହେବ। ଏଠାରେ ଲୋକଙ୍କୁ ଅଟକ ରଖିବା ପାଇଁ ୧୫ଟି ୪ ମହଲା ବିଶିଷ୍ଟ କୋଠା ରହିବ। ଏହି ବିଶାଳ ଅଟକ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି ଅଟକ କେନ୍ଦ୍ର ମଧ୍ୟରେ ଗୋଟିଏ ହସ୍ପିଟାଲ, ପ୍ରାଥମିକ ସ୍କୁଲ ଓ ଗୋଟିଏ ରୋଷଶାଳା ରହିବ। ଏହାବାଦ୍‌ ଲୋକଙ୍କ ପାଇଁ ୧୮୦ଟି ଟଏଲେଟ୍‌ ଓ ୱାଶରୁମ ମଧ୍ୟ ନିର୍ମାଣ ହେବ।

ଅଟକ କେନ୍ଦ୍ର ଉପରେ ନଜର ରଖିବା ପାଇଁ ୱାଚ ଟାୱାରର ବ୍ୟବସ୍ଥା କରାଯିବ। ଏହା ମଧ୍ୟରେ ହଷ୍ଟେଲ ଭଳି ରୁମ ରହିବ ଓ ଗୋଟିଏ ରୁମକୁ ୪ରୁ ୫ ଜଣ ଅଟକାରୀ ବ୍ୟବହାର କରିପାରିବେ।

ରୁମ ଗୁଡ଼ିକରେ କବାଟ, ଲାଇଟ୍‌ ଓ ଭେଣ୍ଟିଲେସନ୍‌ ସୁବିଧା ରହିବ। ଅଟକ କେନ୍ଦ୍ରରେ ମହିଳା, ଶିଶୁ ଏବଂ ଗର୍ଭବତୀଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

୪୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହେଉଥିବା ଏହି ଅଟକ କେନ୍ଦ୍ରର କାର୍ଯ୍ୟ ଗତବର୍ଷ ଆରମ୍ଭ ହୋଇଥିଲା। ଆସାମ ପୁଲିସ୍‌ ହାଉସିଂ କର୍ପୋରେସନ୍‌ ଏହାକୁ ତିଆରି କରୁଛି।