ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ପୁଲୱାମା: ଜମ୍ମୁ-କଶ୍ମୀରର ପୁଲୱାମାରେ ଆଜି ସକାଳୁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଆଜି ସକାଳେ ପ୍ରଥମେ ପୁଲୱାମାର ଟିକେନ୍‌ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚିଥିବା ଅଞ୍ଚଳକୁ କର୍ଡନ ମଧ୍ୟ କରାଯାଇଥିଲା।

ତେବେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଫଳରେ ଦୀର୍ଘ ସମୟଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

ଏହି ଦୁଇ ଆତଙ୍କବାଦୀଙ୍କ ପରିଚୟ ମିଳି ନଥିଲେ ହେଁ ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଓ ଦୁଇଟି ଏକେ-୪୭ ଜବତ କରାଯାଇଛି।