“ଆମକୁ ଏ ଦୁନିଆ ଗ୍ରହଣ କରିବନି ଲୋ…”

ଅହମ୍ମଦାବାଦ: କାନ୍ଥରେ ପ୍ରେମକାହାଣୀ ଲେଖିବା କିଛି ନୂଆ କଥା ନୁହେଁ। କଲେଜ, ୟୁନିଭର୍ସିଟିଠାରୁ ଆରମ୍ଭ କରି ପାର୍କର ଗଛ ଆଉ ସିମେଣ୍ଟ ବେଞ୍ଚ୍‌ରେ ଏମିତି ସବୁ ପ୍ରେମର ଯୁଗ୍ମ କଥାମାନ ଲେଖାଥିବା ଆପଣ ବି ଅନେକ ଥର ଦେଖିଥିବେ। ହେଲେ କିଛି ଏମିତି ପ୍ରେମ କାହାଣୀ ଥାଏ ଯାହାକୁ ଲେଖିବା ବି ଅପରାଧ ଭଳି ବୋଧ ହୁଏ। କିଛି ସମ୍ପର୍କ ଥାଏ, ଯାହାକୁ ଖୋଲାଖୋଲି ସମାଜ ଆଗରେ ବର୍ଣ୍ଣିବା ମଧ୍ୟ ସହଜ ନୁହେଁ।

ଠିକ୍‌ ସେମିତି କାହାଣୀଟିଏ ଆମେ ଏଠି ଆପଣଙ୍କୁ କହିବୁ। ନିଜ ପ୍ରେମ କଥାକୁ ରେଡ୍‌ ଲିପ୍‌ଷ୍ଟିକ୍‌ରେ ଲେଖି ଜୀବନ ନାଟକରେ ଯବନିକା ପକାଇଥିବା ୨ ପ୍ରେମୀ ଯୁଗଳଙ୍କ କଥା ବଖାଣିବୁ । ଏମିତି ଏକ ପ୍ରେମ ଚିଠି ପଢାଇବୁ ଯାହାକୁ ପଢି ଆପଣ ଚକିତ ହେବେ। ହେଲେ ଯଦି ଆପଣଙ୍କୁ କହାଣୀର ଅନ୍ତ ପରେ ପ୍ରେମୀ ଯୁଗଳଙ୍କ ପ୍ରତି ଅନ୍ୟାୟ ନା ନ୍ୟାୟ ହୋଇଛି ବୋଲି ପଚରାଯାଏ, ତା ହେଲେ କହିବା କିନ୍ତୁ କାଠିକର ପାଠ ହୋଇପଡିବ। ଆସନ୍ତୁ ପଢିବା ସେଇ ଶେଷ ଚିଠି।

“ଆମକୁ ଏ ଦୁନିଆ ଗ୍ରହଣ କରିବନି ଲୋ । ଭଲହେବ ଆମେ ଏ ଦୁନିଆ ଛାଡି ଚାଲିଯିବା । ସମାଜ ଗ୍ରହଣ ନ କଲେ ନାହିଁ,  ଆମେ କିନ୍ତୁ କୌଣସି ପୁରୁଷର ହାତ ଧରିବାନି। ଆମର ଦେଖା ହେବା, ନିଶ୍ଚୟ ଦେଖାହେବା ! ଏ ଜନ୍ମ ନୁହେଁ ତ ଆର ଜନ୍ମରେ । ଇତି ଆମେ…

ସାବରମତୀ ନଦୀ ପାଖରେ ଥିବା କାନ୍ଥରେ ରେଡ୍ ଲିପଷ୍ଟିକ୍‌ରେ ଏମିତି କିଛି ଲେଖି ଜୀବନ ହାରିଛନ୍ତି ୨ ମହିଳା । ଆଜ୍ଞା ହଁ ୨ ଜଣ ଯାକ ମହିଳା। ଠିକ୍‌ ବୁଝିଛନ୍ତି ଆପଣ। ଦୁହେଁ ପ୍ରେମୀ ଯୁଗଳ । ସେମାନଙ୍କ ସମ୍ପର୍କକୁ ଆପଣ ଭିନ୍ନ ଦୃଷ୍ଟିରେ ଦେଖିପାରନ୍ତି। ନାକ ବି ଟେକି ପାରନ୍ତି। ଆଉ ଠିକ୍‌ ଏଇ କାରଣ ପାଇଁ ହିଁ ଦୁହେଁ ଆଜି ମୃତ୍ୟୁକୁ ବରି ନେଇଛନ୍ତି।

ସହଜାତ ପ୍ରବୃତ୍ତି ପାଇଁ ପୁରୁଷର ହାତ ଧରି ବିବାହ କରିଥିଲେ ବି ସଂସାର କରିପାରି ନାହାନ୍ତି ସେମାନେ । ଅଲଗା ହୋଇ ନିଜର ଏକ ନୂଆ ସଂସାର ଆରମ୍ଭ କରିବା ଆଶାରେ ଦୁହେଁ ଘରୁ ବାହାରି ଆସିଥିଲେ । ସମଲିଙ୍ଗୀ ସମ୍ପର୍କରେ ବାନ୍ଧି ହୋଇଥିବା ଏହି ଦୁଇ ମହିଳାଙ୍କ ଅସଲ ଜୀବନର କଥା ଆପଣଙ୍କୁ କାହାଣୀ ଭଳି ଲାଗୁଥିଲେ ବି ସତ।

କିଏ ସେମାନେ ?

ଦୁହେଁ ଗୁଜୁରାଟର । ଜଣେ ଆଶା ଠାକୋର ଏବଂ ଆଉ ଜଣେ ଭାବନା ଠାକୋର । ଆଶା ଗୁଜୁରାଟର ଘନଶ୍ୟାମ ରେସିଡେନ୍‌ସିରେ ରହୁଥିଲେ । ୧୦ବର୍ଷ ପୂର୍ବରୁ ତାଙ୍କର ବିବାହ ସରିଥିଲା । ୩ବର୍ଷ ଓ ୬ବର୍ଷର ଦୁଇଟି ଝିଅ ମଧ୍ୟ ଥିଲେ ତାଙ୍କର । ସେହିପରି ଭାବନା ରଜୋଡା ଗାଁରେ ରହୁଥିଲେ । ବାହାଘରର ୧୫ବର୍ଷ ପରେ ତାଙ୍କର ୧୩ବର୍ଷ ଓ ୧୫ବର୍ଷର ଦୁଇଟି ପୁଅ ମଧ୍ୟ ଅଛନ୍ତି। ହେଲେ ଦୁହେଁ ନିଜ ଯୌନ ଜୀବନରେ ଆଦୌ ବି ସୁଖି ନ ଥିଲେ।

ଦୁହିଁଙ୍କ ଭିତରେ କେମିତି ଗଢି ଉଠେ ସମ୍ପର୍କ ?
ଦୁହିଁଙ୍କର ଦେଖାହୁଏ ଗୁଜୁରାଟର ବଲ୍‌ଭା ସହରରେ । ସେଠାରେ ସେମାନେ ଗୋଟିଏ କମ୍ପାନୀରେ ଚାକିରି କରନ୍ତି । ଚାକିରିର ୭ରୁ ୮ ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଗଢିଉଠେ ସମ୍ପର୍କ । ସାଙ୍ଗ ହୋଇ ରହିବାର ନିଷ୍ପତ୍ତି ନିଅନ୍ତି, ଆଉ ଜୁନ୍‌ ୮ତାରିଖରେ ଘରଛାଡି ଚାଲିଆସନ୍ତି । ଆଶା ଘର ଛାଡିବା ବେଳେ ସାଥିରେ ସାନ ଝିଅ ମେଘାକୁ ମଧ୍ୟ ନେଇ ଆସିଥିଲେ।

ଶେଷରେ ଏମିତି ହୁଏ ପରିଣତି ?
ଏମିତି ଏକ ସମ୍ପର୍କକୁ ଆମ ରକ୍ଷଣଶୀଳ ସମାଜ ଗ୍ରହଣ କରିବା ସମ୍ଭବ ନୁହେଁ। ଏଣୁ ଦୁହେଁ ଏକାଠି ରହିବା ବେଳେ ସମାଜର ନିନ୍ଦା ଅପବାଦ ସେମାନଙ୍କୁ ଅତିଷ୍ଠ କରିପକାଏ। ସହି ନ ପାରି ଶେଷରେ ଦୁହେଁ ମୃତ୍ୟୁ ମନସ୍କ ହୋଇପଡନ୍ତି।

ସୋମବାର ଆଶା ଝିଅ ମେଘାକୁ ଧରି ଭାବନାଙ୍କ ସହ ମିଶି ପହଞ୍ଚନ୍ତି ସାବରମତୀ ନଦୀ କୂଳରେ। ରେଡ୍‌ ଲିପ୍‌ଷ୍ଟିକ୍‌ରେ କାନ୍ଥରେ ଜୀବନର ଶେଷକଥା ଆଙ୍କିଦେଇ ପାଣିରେ ଡେଇଁ ଆତ୍ମହତ୍ୟା କରନ୍ତି ।

ମୃତଦେହ ୩ଟି ନଦୀରେ ଭାସୁଥିବାର ଦେଖି ଫୋନ୍‌ କଲ୍‌ ଆସିବା ପରେ ୩ଜଣଙ୍କୁ ଉଦ୍ଧାର କରାଯାଏ। ସେମାନଙ୍କ ଶରୀର ଗୋଟିଏ ଷ୍ଟଲରେ ବନ୍ଧା ହୋଇ ରହିଥିବା ବେଳେ ନଦୀ ପାର୍ଶ୍ୱ କାନ୍ଥରୁ ମିଳେ ଲିପ୍‌ଷ୍ଟିକ୍‌ରେ ଲେଖା ଚିଠି। ସେମାନଙ୍କ ଜୀବନର ଶେଷ ଚିଠି। ଗୁଜୁରାଟ ପୋଲିସ ଏବେ ଘଟଣାକୁ ନେଇ ଆରମ୍ଭ କରିଛି ତଦନ୍ତ।