୩୨ ଟ୍ରାକ୍ଟରରେ ୨୦୦ ଲୋକ ଆସି ୧୦ ଜଣଙ୍କୁ ମାରିଥିଲେ

ସୋନଭଦ୍ର: ଉତ୍ତର ପ୍ରଦେଶରେ ଗତକାଲି ଘଟିଥିବା ନରସଂହାରର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ବିଜେପି ଶାସିତ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାରେ ଗାଁ ମୁଖିଆ ଓ ତାଙ୍କ ସହଯୋଗୀମାନେ ୧୦ ଜଣ ନିରୀହ ଆଦିବାସୀଙ୍କୁ ଅତ୍ୟନ୍ତ ବର୍ବରୋଚିତ ଢଙ୍ଗରେ ହତ୍ୟା କରିଥିଲେ।

ତେବେ ଏହି ଆଦିବାସୀଙ୍କୁ ହତ୍ୟା କରିବା ପାଇଁ ମୁଖ୍ୟ ଅଭିଯୁକ୍ତ ଯୋଗ୍ୟ ଦତ୍ତ ୩୨ଟି ଟ୍ରାକ୍ଟରରେ ଅସ୍ତ୍ରଶସ୍ତ୍ର ସହ ୨୦୦ ଜଣ ଗୁଣ୍ଡାକୁ ନେଇ ଆସିଥିଲେ। ଯୋଗ୍ୟ ଦତ୍ତ ଓ ଆଦିବାସୀଙ୍କ ମଧ୍ୟରେ ଏକ ଜମିକୁ ନେଇ ବିବାଦ ଲାଗି ରହିଥିଲା। ଗତକାଲି ମଧ୍ୟ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ଏହି ସମୟରେ ଯୋଗ୍ୟଙ୍କ ଗୁଣ୍ଡାମାନେ ପ୍ରାୟ ୩୦ ମିନିଟ୍‌ ଧରି ନିରୀହ ଆଦିବାସୀଙ୍କ ଉପରକୁ ଅନବରତ ଗୁଳି ଚଳାଇଥିଲେ। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଖାଲି ସେତିକି ନୁହେଁ ଟ୍ରାକ୍ଟରରେ ଆସିଥିବା ଗୁଣ୍ଡାମାନେ ଆଦିବାସୀଙ୍କୁ ଲାଠିରେ ମଧ୍ୟ ଆକ୍ରମଣ କରିଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, “ଆମେ ଜାଣି ନଥିଲୁ ଯେ ଗୁଣ୍ଡାମାନେ ବନ୍ଧୁକ ଧରି ଆସିଛନ୍ତି। ତେବେ ସେମାନେ ଗୁଳି ଚଳାଇବାରୁ ଆମେ ଭୟରେ ଦୌଡ଼ିବା ଆରମ୍ଭ କରିଥିଲୁ।

ଆମେ ପୁଲିସ୍‌କୁ ଫୋନ କରିଥିଲେ ହେଁ ପୁଲିସ୍‌ ଦୀର୍ଘ ୧ ଘଣ୍ଟା ପରେ ଆସିଥିଲା। ଗୁଣ୍ଡାମାନେ ପ୍ରାୟ ୩୦ ମିନିଟ୍‌ କାଳ ଗୁଳି ଚଳାଇଥିଲେ।

ଗାଁରେ ଥିବା ୩୬ ଏକର ଜମିକୁ ନେଇ ଆଦିବାସୀ ଓ ଗାଁ ମୁଖିଆଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହିଥିଲା।