୨୦୦୪ ଗ୍ରେନେଡ୍ ଆକ୍ରମଣ ପଛରେ ଥିଲା ଖାଲେଦା ଜିଆଙ୍କ ହାତ: ଶେଖ ହସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଆଜି ଅଭିଯୋଗ କରିଛନ୍ତି ଯେ ୨୦୦୪ ମସିହାରେ ତାଙ୍କ ଉପରେ ହୋଇଥିବା ଗ୍ରେନେଡ୍ ଆକ୍ରମଣ ପଛରେ ବିରୋଧୀ ଦଳ ନେତ୍ରୀ ଖାଲେଦା ଜିଆ ଓ ତାଙ୍କର ପଳାତକ ପୁଅର ହାତ ଥିଲା। ଏହି ଆକ୍ରମଣର ୧୦ ବର୍ଷ ପୂର୍ତ୍ତି ଅବସରରେ ଏଠାରେ ଏକ ରାଲିରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲେ। ଶେଖ୍ ହସିନା କହିଥିଲେ, ଉକ୍ତ ଆକ୍ରମଣରେ ଜିଆ ଓ ତାଙ୍କ ପୁଅର ହାତ ଥିବା ନେଇ କୌଣସି ସନ୍ଦେହ ନାହିଁ। ଆୱାମୀ ଲିଗର ନେତୃତ୍ୱକୁ ଲୋପ କରି ଦେବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣାରେ ୨୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ଥିଲା ବୋଲି କୁହାଯାଏ।