୨୦୦୬ ମୁମ୍ବାଇ ଟ୍ରେନ୍ ବୋମା ବିସ୍ଫୋରଣ: ୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ, ୭ଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ମୁମ୍ବାଇ: ୨୦୦୬ ମୁମ୍ୱାଇ ଲୋକାଲ୍ ଟ୍ରେନ୍ ବୋମା ବିସ୍ଫୋରଣ ମାମଲାରେ ୫ ଦୋଷୀଙ୍କୁ ହୋଇଛି ମୃତ୍ୟୁ ଦଣ୍ଡାଦେଶ। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ୭ ଜଣଙ୍କୁ ଆଜୀବନ କରାଦଣ୍ଡାଦେଶ ହୋଇଛି। ମହାରାଷ୍ଟ୍ରର ସ୍ୱତନ୍ତ୍ର ମକୋକା ଅଦାଲତର ବିଚାରପତି ୟାତିନ ଶିନ୍ଦେ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଲୋକାଲ୍ ଟ୍ରେନ ଗୁଡିକରେ ବୋମା ଖଞ୍ଜିଥିବା ଫୈଜଲ ଶେଖ, ଆସିଫ ଖାନ୍, କମଲ ଅନସାରୀ, ଏହେତେଶାମ୍ ସିଦ୍ଦିକି ଏବଂ ନଭିଦ ଖାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସେହିପରି ବୋମା ପାଇଁ ଇଲେକଟ୍ରି ସର୍କିଟ୍ ପ୍ରସ୍ତୁତ କରିଥିବା ସାଜିଦ୍ ଅନସାରୀ, ବୋମା ତିଆରି ପାଇଁ ଘର ଯୋଗାଇଥିବା ମହମ୍ମଦ ଅଲି, ଷଡ଼ଯନ୍ତ୍ରକାରୀ ଡାକ୍ତର ତନଭୀର ଅନସାରୀ ଏବଂ ବୋମା ବିସ୍ଫୋରଣ ଲାଗି ବିଭିନ୍ନ ସାମଗ୍ରୀ ଯୋଗାଇଥିବା ମାଜିଦ ସଫି, ମୁଜାମ୍ମିଲ ଶେଖ, ସୋହେଲ ଶେଖ ଏବଂ ଜମିର ଶେଖଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ମକୋକା ଅଦାଲତ ଗତ ଅଗଷ୍ଟ ୨୩ ତାରିଖରେ ଏହି ମାମଲାର ରାୟ ପ୍ରକାଶ କରି ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୬ ଜୁଲାଇ ୧୧ରେ ମୁମ୍ୱାଇ ଲୋକାଲ୍ ଟ୍ରେନରେ ମାଟୁଙ୍ଗାରୁ ମୀରା ରୋଡ୍ ଷ୍ଟେଶନ ମଧ୍ୟରେ ମୋଟ୍ ୭ଟି ସିରିଜ୍ ବିସ୍ଫୋରଣ ହୋଇଥିଲା। ଏଥିରେ ୧୮୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ଆହତ ହୋଇଥିଲେ।