ବିଚିତ୍ର ଭାରତ: ପୁଅ ମୋହ ପାଇଁ ବର୍ଷକୁ ୨୧ ଲକ୍ଷ ଝିଅ ଅବାଞ୍ଛିତ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ପ୍ରଗତିଶୀଳ ଦେଶ ତାଲିକାରେ ଭାରତର ନାଁ ଶୁଣିବାକୁ ମିଳୁଥିବା ବେଳେ ବାସ୍ତବରେ ଆମ ପ୍ରଗତିର ବାଟ ଅବରୋଧ କରିଛି ଅଜ୍ଞତା ଓ ଅନ୍ଧବିଶ୍ୱାସ। ପୁଅଟିଏ ହେଲେ ବଂଶ ରଖିବ ଆଉ ଝିଅ ଜନ୍ମ ହେଲେ ଦୁର୍ଭାଗ୍ୟ ମାଡ଼ି ବସିବ। ଏଭଳି ଭାବନା ଦେଶର ଅନେକ ପରିବାର ମଧ୍ୟରେ ଏବେ ବି ରହିଛି। ସେଥିପାଇଁ ଭାରତ କୋଳରେ ଅବାଞ୍ଛିତ ହୋଇ ପଡ଼ି ରହିଛନ୍ତି ୨୧ ଲକ୍ଷ କନ୍ୟା ସନ୍ତାନ।

ସମସ୍ତ ଅର୍ଥନୈତିକ ପ୍ରଗତିକୁ ପଛରେ ପକାଇ ଦେଇଛି ଭାରତର ଲିଙ୍ଗାନୁପାତ। ପୁତ୍ର ଲୋଭ ଦେଶରେ ଏହି ଅନୁପାତରେ ପ୍ରଚଣ୍ଡ ବ୍ୟତିକ୍ରମ ସୃଷ୍ଟି କରିଛି। ‘ୱାସିଂଟନ୍‌ ପୋଷ୍ଟ’ର ଏକ ସର୍ବେକ୍ଷଣ ଅନୁଯାୟୀ, ୬୩ ମିଲିୟନ୍‌ ବା ୬ କୋଟି ୩୦ ଲକ୍ଷରୁ ଅଧିକ ମହିଳା ଆମ ଦେଶରେ ଏବେ ମଧ୍ୟ ମୂଳ ଜନସଂଖ୍ୟାଠାରୁ ବାଦ୍‌ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ କନ୍ୟା ପ୍ରତିବର୍ଷ ନିଖୋଜ ହୋଇଯାଆନ୍ତି। ଆଉ ଏହାର କାରଣ ଶୁଣି ଆପଣ ବି ଲଜ୍ଜିତ ଅନୁଭବ କରିବେ। କୁହାଯାଏ ରୋଗ, ଉପେକ୍ଷା ଓ କୁପୋଷଣ କାରଣରୁ ଏହି ଝିଅମାନଙ୍କୁ ମାରି ଦିଆଯାଏ ନଚେତ୍‌ ମରିବାକୁ ଛାଡ଼ିଦିଆ ଯାଏ। ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି କଥାକୁ ସ୍ୱୀକାର କରି କହିଛନ୍ତି ଯେ, ଦେଶରେ ୨୧ ଲକ୍ଷ କନ୍ୟା ଅବାଞ୍ଛିତ ବା ଅଲୋଡ଼ା।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତୀୟଙ୍କ ଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟ ଲାଗି ପୁଅଟିଏ ଲୋଡ଼ା ପଡ଼ିଥାଏ। ଏଣୁ ପୁଅଟିଏ ଜନ୍ମ ହେଉ ଏହା ସମସ୍ତଙ୍କର ଆଶା। ପାରିବାରିକ ଚାପ ଯୋଗୁ ଦମ୍ପତି ବିବାହ ପରେ ପୁଅଟିଏକୁ ହିଁ ଚାହିଁ ରହିଥାନ୍ତି। ଏମିତି ବି ସ୍ଥିତି ହୁଏ ପୁଅଟିଏକୁ ଆଶା ରଖି ଏକାଧିକ କନ୍ୟା ସନ୍ତାନ ଜନ୍ମ ନେଇଥାନ୍ତି। ଆଉ ପୁଅଟିଏ ହୋଇଗଲେ ଝିଅମାନେ ଉପେକ୍ଷିତ ହୋଇପଡନ୍ତି। ଆପଣ ଭାବୁଥିବେ ଏହି ଚିତ୍ର ଭାରତର ଗ୍ରାମୀଣ ଜୀବନଶୈଳୀରେ ହୋଇଥିବ । କିନ୍ତୁ ବାସ୍ତବରେ ଏହି ପୁତ୍ରମୋହ ଚିନ୍ତାଧାରା ଆଧୁନିକ ଭାରତୀୟମାନଙ୍କୁ କବଳିତ କରିଛି ଓ ଶିକ୍ଷିତ ସମାଜରେ ମଧ୍ୟ କନ୍ୟାସନ୍ତାନ ଅବାଞ୍ଛିତ ଭାବେ ଜୀବନ ଜୀଉଁଛି। ପାଠ ପଢ଼ୁଆ ଲୋକଙ୍କ ଭିତରେ ପୁଅଟିଏ ପାଇବାକୁ ଆତୁରତା ବେଶୀ।