ଆତଙ୍କବାଦ ଦମନ ଷ୍ଟ୍ରାଟେଜିରେ ପରିବର୍ତ୍ତନ, ଏନ୍‌କାଉଣ୍ଟର ପାଇଁ ୨୧ ଜଣଙ୍କ ଲିଷ୍ଟ ପ୍ରସ୍ତୁତ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜାମ୍ମୁ କାଶ୍ମୀରରେ ବଦଳିଲା ଆତଙ୍କବାଦ ଦମନର ଷ୍ଟ୍ରାଟେଜି। ଏବେ ଅନ୍ଧାରରେ ଆଉ ବାଡ଼ି ବୁଲା ହେବ ନାହିଁ କିମ୍ବା ପ୍ରଥମେ ଆକ୍ରମଣ କରିବାକୁ ଆତଙ୍କବାଦୀଙ୍କୁ ଦିଆଯିବ ନାହିଁ ସୁଯୋଗ। ସୁରକ୍ଷାକର୍ମୀ ହିଁ ପ୍ରଥମେ ଷ୍ଟ୍ରାଇକ୍ କରିବେ। ନୂଆ ରଣନୀତି ଅନୁସାରେ ଆତଙ୍କବାଦୀ ସଂଗଠନର ଲିଡର୍‌ଙ୍କୁ ପ୍ରଥମେ ଟାର୍ଗେଟ କରାଯିବ। ତେଣୁ ପ୍ରସ୍ତୁତ ହୋଇଛି ୨୧ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟ। ଏମାନଙ୍କୁ ଆଗ ସଫା କରାଯିବ। ଏହି ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ନିପାତ କରିପାରିଲେ, ଆପେ ଆପେ ଆତଙ୍କବାଦୀ କାର୍ଯ୍ୟକଳାପ କମିଯିବ ବୋଲି ଆଶା କରାଯାଉଛି।

୨୧ ଜଣିଆ ହିଟ୍ ଲିଷ୍ଟରେ ମୋଷ୍ଟ ଓ୍ୱାଣ୍ଟେଡ୍ ହେଲେ ହିଜବୁଲର ୧୧ ଜଣ, ଲସ୍କର ଇ ତୋଇବାର ୭ ଜଣ ଓ ଜୈଶ୍ ଏ ମହମ୍ମଦର ୨ ଜଣ ଆତଙ୍କବାଦୀ। ଅପରାଧରେ ସଂପୃକ୍ତିକୁ ଦେଖି ୬ ଜଣଙ୍କୁ A++ ବର୍ଗରେ ରଖାଯାଇଛି। ଜଣେ ଆତଙ୍କବାଦୀକୁ A++ କ୍ୟାଟେଗୋରିରେ ରଖିବା ଅର୍ଥ ତା ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ରହିଥାଏ। ଏବଂ ଖୁବ୍ କମ୍ ଦିନ ଭିତରେ ତାକୁ ଏନ୍‌କାଉଣ୍ଟର କରାଯାଏ ବୋଲି ସୁରକ୍ଷା ବିଶେଷଜ୍ଞ କହିଛନ୍ତି।

ଏହି ତାଲିକାରେ ଅଛି ରିଆଜ୍ ଅହମ୍ମଦ ନାଇକୁ, ଅଲ୍ତାଫ୍ ଅହମଦ ଦର୍, ଉମର ମାଜିଦ୍ ଗନାଇ, ଜିନତ୍ ଉଲ୍ ଇସ୍ଲାମ, ମୁସ୍ତାକ୍ ଅହମଦ ମୀର୍ ଓ ଜାକିର୍ ରସିଦ୍ ବଟ୍। ହିଟ୍ ଲିଷ୍ଟରେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ଅଛନ୍ତି। ସେମାନେ ହେଲେ ଅବୁ ମୁସଲିମ୍, ଅବୁ ଜାର୍ଗମ୍ ଓ ମହମ୍ମଦ ନାଭିଦ୍ ଜାଦ୍। ଏମାନେ ସମସ୍ତେ A+ କ୍ୟାଟେଗୋରିର। ହିଟ୍ ଲିଷ୍ଟରେ ଥିବା ୨୧ ଜଣ ଯାକ ଆତଙ୍କବାଦୀ, ନିଜ ନିଜ ସଂଗଠନର ଲିଡର୍ସିପ୍ ରୋଲରେ ଅଛନ୍ତି। ଏମାନେ ହିଁ ଆକ୍ରମଣର ଷଡ଼ଯନ୍ତ୍ର କରନ୍ତି ଓ ତାକୁ କାର୍ଯ୍ୟକାରୀ କରାନ୍ତି। ତେଣୁ ଏମାନଙ୍କୁ ପ୍ରଥମେ ନିପାତ କରିପାରିଲେ  ସଂଗଠନକୁ ଜୋରଦାର ଧକ୍କା ଲାଗିବ। ନୂଆ ଲିଡର୍ ତିଆରି ପାଇଁ ମଧ୍ୟ ସମୟ ଲାଗିବ। ସେହି ସମୟ ଭିତରେ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିବ ଅପରେସନ। ଏହି ରଣନୀତି ଦ୍ୱାରା ଆତଙ୍କବାଦୀ ସଂଗଠନ ପୁରା ଭୁଶୁଡ଼ି ପଡ଼ିବ ବୋଲି ସୁରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି।