ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବନି ୨୫ ଟଙ୍କା ଫି, ଖବର ଥିଲା ଗୁଜବ!

ନୂଆଦିଲ୍ଲୀ: ଆଜି ସକାଳେ ଏକ ଖବର ପ୍ରଚାରିତ ହୋଇଥିଲା ଯେ ଜୁନ୍ ପହିଲାରୁ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ୨୫ ଟଙ୍କା ଲେଖାଏଁ ଟିକସ ଦେବାକୁ ପଡ଼ିବ। ଏ ଖବର ପାଇବା ମାତ୍ରେ ସମସ୍ତେ ଘାବରେଇ ଯାଇଥିଲେ। କିନ୍ତୁ କଥାଟା ସତ ନୁହେଁ। ଏସ୍‌ବିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଏହି ନିର୍ଦ୍ଦେଶନାମା କେବଳ ଏସ୍‌ବିଆଇ ମୋବାଇଲ୍‌ ୱାଲେଟ୍‌ (ବଡି) ୟୁଜର୍ସମାନଙ୍କ ପାଇଁ ଉଦ୍ଦିଷ୍ଟ। ଏ ନେଇ ଏସ୍‌ବିଆଇ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିବ ବୋଲି ଏହି ଅଧିକାରୀ ଜଣଙ୍କ କହିଛନ୍ତି।

ଏଟିଏମ୍‌ ଟିକସ ଆର୍‌ବିଆଇ ସ୍ଥିର କରେ। ଏହା ସମସ୍ତ ବ୍ୟାଙ୍କ ପାଇଁ ସମାନ। ତେବେ ଆଜି ସକାଳେ ଖବର ଆସିଥିଲା ଯେ ଏସ୍‌ବିଆଇ ଏକ ସର୍କୁଲାର ଜାରି କରି ଘୋଷଣା କରିଛି ଯେ ଏଏଟିଏମ୍‌ରୁ ଟଙ୍କା ଉଠାଇଲେ ୨୫ ଟଙ୍କା ଫି ଦେବାକୁ ହେବ। ତେବେ ଏସ୍‌ବିଆଇର ଏହି ସର୍କୁଲାରରେ ଅନେକ ଦ୍ୱନ୍ଦ୍ୱ ମଧ୍ୟ ଥିଲା। ଏଥିରେ କୁହାଯାଇଥିଲା ଗୋଟିଏ ମାସରେ ଏଟିଏମ୍‌ ସମେତ ଚାରିଟି ଟଙ୍କା ଉଠାଣ ପାଇଁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ପୁଣି ଏଥିରେ କୁହାଯାଇଥିଲା ଚାରିଟି ଉଠାଣ ପରେ ବ୍ୟାଙ୍କ ବ୍ରାଞ୍ଚ ଅଫିସ୍‌ରେ ୫୦ ଟଙ୍କାର ଫି ସହିତ ସର୍ଭିସ୍ ଟାକ୍ସ ଦେବାକୁ ହେବ। ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ୨୦ ଟଙ୍କା ସହ ସର୍ଭିସ୍ ଟାକ୍ସ ଦେବାକୁ ହେବ। ଆଉ ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇଲେ ୧୦ ଟଙ୍କା ସହିତ ସର୍ଭିସ୍ ଟାକ୍ସ ଦେବାକୁ ପଡ଼ିବ। କେବଳ ଏତିକି ନୁହେଁ ୫୦୦୦ରୁ ଅଧିକ ଟଙ୍କାର ପୁରୁଣା ଓ ଚିରା ନୋଟ୍‌ ବଦଳାଇଲେ ମଧ୍ୟ ଫି’ ଦେବାକୁ ହେବ ବୋଲି ଏହି ସର୍କୁଲାରରେ ଉଲ୍ଲେଖ କରାଯାଇଥିବା ଶୁଣିବାକୁ ମିଳିଥିଲା।

ସୌଜନ୍ୟ- ବିଜ୍‌ନେସ୍ ଟୁଡେ