‘ପାସ୍‌ପୋର୍ଟ’ ଆଉ ବେଶୀ ଦୂର ନୁହେଁ: ଓଡ଼ିଶାରେ ଆଉ ୩ଟି କେନ୍ଦ୍ର ଖୋଲିବ

ନୂଆଦିଲ୍ଲୀ: ପାସ୍‌ପୋର୍ଟ ତିଆରି ଲାଗି ଆପଣଙ୍କୁ ଆଉ ଅଧିକ ଦୂରକୁ ଯିବାକୁ ପଡିବନି। କାରଣ ଘର ଠାରୁ ମାତ୍ର ୫୦ କିମି ପରିଧି ମଧ୍ୟରେ  ଖୋଲାଯିବ ପାସପୋର୍ଟ ସେବା କେନ୍ଦ୍ର । ଦେଶର ବିଭିନ୍ନ ଡାକଘର ଗୁଡିକରେ ଏହି କେନ୍ଦ୍ର ଖୋଲାଯିବ ବୋଲି ଘୋଷଣା କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱାରାଜ । ପୂର୍ବରୁ ୮୬ଟି ପାସପୋର୍ଟ ସେବା କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରାଯାଇଥିବାବେଳେ ଏବେ ୧୪୯ଟି  କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଉ ଥିବା  ସୁଷମା କହିଛନ୍ତି ।

ପାସପୋର୍ଟ ତିଆରି ପାଇଁ ଲୋକଙ୍କୁ  ବହୁ ଦୂରକୁ ଯିବାକୁ ପଡୁଥିବାରୁ ଅନେକ ସମସ୍ୟା ଉପୁଜୁଛି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଏପରି ପଦକ୍ଷେପ ନେଇଥିବା ସୁଷମା କହିଛନ୍ତି । ସେପଟେ ଓଡ଼ିଶାର ଆଉ ୩ଟି ପୋଷ୍ଟ ଅଫିସ ପାସ୍‌ପୋର୍ଟ ସେବା କେନ୍ଦ୍ର ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସୁଷମା। ଏହି ସ୍ଥାନ ଗୁଡ଼ିକ ହେଲା ବାଲେଶ୍ୱର, ବ୍ରହ୍ମପୁର ଓ ଭବାନୀପାଟଣା। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ସୁଷମା। ପୂର୍ବରୁ ଏ ସମ୍ପର୍କରେ ସୁଷମାଙ୍କୁ ଚିଠିରେ ଅନୁରୋଧ କରିଥଲେ ଧର୍ମେନ୍ଦ୍ର।