୩ ବର୍ଷ ତଳେ ବି ରାତି ସାରା ଚାଲିଥିଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  ଆଜି ସକାଳେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବି.ଏସ୍ ୟେଦ୍ୟୁରପ୍ପା ଶପଥ ନେବାକୁ ଥିବା ବେଳେ ଏହା ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ଓ ଜେଡିଏସ୍‌ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାକୁ କୋର୍ଟ ଗ୍ରହଣ କରିବା ସହ ରାତିରେ ଏହାର ଶୁଣାଣି ହୋଇଥିଲା। ରାତି ଗୋଟେ ୪୫ରେ ଏହାର ଶୁଣାଣି ଆରମ୍ଭ ହୋଇଥିଲା। ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ୟେଦ୍ୟୁରପ୍ପାଙ୍କ ଶପଥ ଗ୍ରହଣ ଉପରେ ରୋକ ଲଗାଇବାକୁ ମନା କରି ଦେଇଥିଲେ। ତେବେ ରାତିରେ କୋର୍ଟ ବସିବା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏପରି ଘଟିସାରିଛି। ୟାକୁବ ମେନନ ଫାଶୀ ସମ୍ପର୍କୀତ ମାମଲାର ବିଚାର ରାତି ସାଢ଼େ ୩ଟା ପର୍ଯ୍ୟନ୍ତ ଚାଲିଥିଲା।

କ’ଣ ଥିଲା ସେଦିନର ଘଟଣାକ୍ରମ

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ୟାକୁବକୁ ଫାଶୀ ଉପରେ ୧୪ ଦିନ ରୋକ ଲଗାଇବାକୁ ୨୦୧୫ ଜୁଲାଇ ୩୦ ତାରିଖରେ ରାତିରେ ସୁପ୍ରିମକୋର୍ଟରେ ବିଚାର ହୋଇଥିଲା। ଏହା ଶୁଣାଣି ରାତି ସାଢେ ୩ଟା ପର୍ଯ୍ୟନ୍ତ ଚାଲିଥିଲା।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟ ଫାଶୀ ୱାରେଣ୍ଟ୍ ଉପରେ ରୋକ ଲଗାଇବାକୁ ମନା କରି ଦେବା ପରେ ରାଷ୍ଟ୍ରପତିଙ୍କଠାରେ ହୋଇଥିବା ପୁନଃକ୍ଷମା ଆବେଦନ ବି ଖାରଜ ହୋଇଯାଇଥିଲା। ଏହା ପରେ ଫାଶୀ ଦଣ୍ଡାଦେଶ ଉପରେ ୧୪ ଦିନ ରୋକ ଲଗାଇବା ପାଇଁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଓ ଇନ୍ଦିରା ଜୟସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ। ଫଳରେ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟର ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। ଶେଷରେ କୋର୍ଟ ବରିଷ୍ଠ ଓକିଲମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ।

ଏହାପରେ ୟାକୁବକୁ ଫାଶୀ ଦିଆଯିବା ନେଇ ନାଗପୁର ସେଣ୍ଟ୍ରାଲ ଜେଲରେ ଭୋର ପ୍ରାୟ ୫ଟା ବେଳକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୬ଟା ୧୫ରେ ତାକୁ ଫାଶୀ ଘରକୁ ଅଣାଯାଇ ୬ଟା ୩୦ରେ ଫାଶୀ ଦିଆଯାଇଥିଲା ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ୟାକୁବକୁ ଫାଶୀ ଦିଆଯିବା ନେଇ ଶୁଣାଣି ସମୟରେ ଜଷ୍ଟିସ୍‌ ଦୀପକ ମିଶ୍ର ଅଧ୍ୟକ୍ଷତା କରୁଥିବା ବେଳେ ଗତକାଲି ବସିଥିବା ରାତି ଅଧିଆ ସୁପ୍ରିମକୋର୍ଟରେ ଜଷ୍ଟିସ୍‌ ମିଶ୍ର ପୁଣି ଥର ଅଧ୍ୟକ୍ଷତା କରିଥିଲେ। ୟାକୁବର ଶୁଣାଣି ବୁଧବାର ରାତିରେ ହୋଇଥିବା ବେଳେ ଗତକାଲି ବୁଧବାର ରାତିରେ ପୁଣି ଥରେ ସୁପ୍ରିମକୋର୍ଟ ବସିଥିଲା।

କିଏ ଏହି ୟାକୁବ୍ ମେମନ୍?

୧୯୯୩ ମୁମ୍ୱାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ  ଟାଇଗର ମେମନର ସାନଭାଇ ହେଉଛି ୟାକୁବ। ୧୯୬୨ମସିହା ଜୁଲାଇ ୩୦ରେ ମୁମ୍ୱାଇର ବାଇକୁଲା ଅଞ୍ଚଳରେ ତା’ର ଜନ୍ମ। ୧୯୮୬ରେ କମର୍ସରେ ସ୍ନାତକୋତ୍ତର ଡିଗ୍ରୀ ପରେ ୧୯୯୦ରେ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାସ୍ କରିଥିଲା। ଏହାପରେ ନିଜସ୍ୱ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ ଓ ପରେ ଏକ ଏକ୍ସପୋର୍ଟ କମ୍ପାନୀ ଖୋଲିଥିଲା। ୧୯୯୩ ମୁମ୍ୱାଇ ବିସ୍ଫୋରଣ ଷଡ଼ଯନ୍ତ୍ର ଓ ଏହାକୁ କାର୍ଯ୍ୟକାରୀ କରିବାରେ ସେ ଭାଇ ଟାଇଗର୍ ମେନନକୁ ସହାୟତା କରିଥିଲା। ବିସ୍ଫୋରଣ ଲାଗି ଖର୍ଚ୍ଚ ହୋଇଥିବା ଅର୍ଥ ଯୋଗାଡ଼ରେ ତା’ର ଥିଲା ପ୍ରମୁଖ ଭୂମିକା। ମୁମ୍ୱାଇ ବିସ୍ଫୋରଣର ପୂର୍ବରୁ ପ୍ରଶିକ୍ଷଣ ନେବାକୁ ପାକିସ୍ତାନ ଯାଇଥିବା ୧୫ ଯୁବକଙ୍କ ସମସ୍ତ ଖର୍ଚ୍ଚ ସେ ବହନ କରିଥିଲା।

୧୯୯୩ ମୁମ୍ୱାଇ ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହ ୭ଶହରୁ ଅଧିକ ଆହତ ହୋଇଥିଲେ। ଅଣ୍ଡରୱାଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ କରିଥିବା ଏହି ଷଡ଼ଯନ୍ତ୍ରକୁ ୟାକୁବର ଭାଇ ଟାଇଗର ମେମନ୍, ତା’ ପରିବାରର କିଛି ସଦସ୍ୟ ଓ ଦାଉଦର ଅନ୍ୟ ସହଯୋଗୀ କାର୍ଯ୍ୟକାରୀ କରିଥିଲେ। ଦାଉଦ୍ ଓ ଟାଇଗର ଏବେ ବି ପାକିସ୍ତାନରେ ଲୁଚି ରହିଥିବା କୁହାଯାଉଛି।