ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ: ୩ ରାଜ୍ୟରେ ୩୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ, ବଜ୍ରପାତ ଓ କୁଆପଥର ମାଡ଼ ହେବାରୁ ଦେଶର ୩ଟି ରାଜ୍ୟରେ ୩୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ମଧ୍ୟପ୍ରଦେଶର ୧୬ ଜଣ ଥିବା ବେଳେ ଗୁଜରାଟ ୯ ଓ ରାଜସ୍ଥାନର ୬ ଜଣ ଅଛନ୍ତି। ଏଥିରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି।

ଗୁଜରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମଣିପୁରରେ ଏହାର ଅଧିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସବୁ ରାଜ୍ୟର ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗି ପଡ଼ିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ରାଜସ୍ଥାନରେ ଗତକାଲି ଅପରାହ୍ଣ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିଲା। ହେଲେ ସନ୍ଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା।

ଗତକାଲି ରାତିରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ଓ କୁଆପଥର ମାଡ଼ ଆଦି ହୋଇଥିବା ବେଳେ ଆଜି ମଧ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶର କିଛି ସ୍ଥାନରେ ଝଡ଼ିତୋଫାନ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।