ପୁଣି ଶିଶୁ ମଡ଼କ: ୫୦ ଦିନରେ ଗଲାଣି ୩୨ ଛୋଟ ଛୁଆଙ୍କ ଜୀବନ

ନୂଆଦିଲ୍ଲୀ: ବିହାର, ଆସାମ ପରେ ଏବେ ଉତ୍ତର ପ୍ରଦେଶରେ ପୁଣି ଶିଶୁ ମଡ଼କର ଖବର ପହଞ୍ଚିଛି। ଗତ ୫୦ ଦିନରେ ୩୨ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଛି। ଏହି ସମସ୍ତଙ୍କର ମୃତ୍ୟୁ ସ୍ପେଶାଲ୍ ନ୍ୟୁ ବର୍ନ ୟୁନିଟରେ ଘଟିଥିବା ବଦାୟୁଁ ଜିଲ୍ଲା ମହିଳା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ବଦାୟୁଁ ସିଡିଏମଓ ମନଜିତ ସିଂହ କହିଛନ୍ତି ଯେଉଁ ଛୋଟ ଛୁଆ ସ୍ପେଶାଲ୍ ନ୍ୟୁ ବର୍ନ ୟୁନିଟରେ ଭର୍ତ୍ତି ହୋଇଛନ୍ତି ସେମାନେ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ ତାଙ୍କର ବଞ୍ଚିବାର ସମ୍ଭାବନା କମ୍ ଥିଲା।


ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚଳିତ ମାସ ହସ୍ପିଟାଲରେ ଅନେକ ପୀଡ଼ିତ ଛୋଟ ଛୁଆ ଭର୍ତ୍ତି ହୋଇଥିଲେ। ସମସ୍ତଙ୍କ ଗୋଡ଼ ହାତ କାମ କରୁନଥିଲା। ତେବେ ୨୦ ଜଣ ଛୋଟ ଛୁଆ ସମାନ ରୋଗରେ ପୀଡ଼ିତ ହୋଇଥିବା ବେଳେ ଠିକ ସମୟରେ ଆସିଥିବାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁଇ ମାସ ତଳେ ବିହାର ମୁଜାଫରନଗରରେ ଏନସେଫାଲାଇଟିସ ରୋଗରେ ଆକ୍ରାନ୍ତ ହୋଇ ୧୫୦ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଆସାମରେ ବି ୫୦ରୁ ଅଧିକ ଛୋଟ ଛୁଆ ଓ ପ୍ରାପ୍ତବୟସ୍କ ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ।

ତେବେ ଉତ୍ତର ପ୍ରଦେଶରେ ଏହି ରୋଗ ନୂଆ ନୁହେଁ। ୨୦୧୭ ଓ  ୨୦୧୮ରେ ଜାପାନିଜ୍ ଏନସେଫାଲାଇଟିସ ରୋଗରେ ପୀଡିଚ ହୋଇ ୧୫୦ରୁ ଅଧିକ ଛୋଟ ଛୁଆଙ୍କର ମୃତ୍ୟୁ ଘଟିଥିଲା।