‘RV155677820’ ନାଁ ପାଇବାକୁ ଯୁବକଙ୍କ ଲଢ଼େଇ, ନାସ୍ତିକ ଘୋଷଣା କରିବାକୁ ଆବେଦନ

ନୂଆଦିଲ୍ଲୀ: ଗୁଜରାଟର ଜଣେ ଅଟୋ ଚାଳକ ନିଜ ଧର୍ମରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି। ସେ ଜଣେ ହିନ୍ଦୁ। କିନ୍ତୁ ନିଜ ଧର୍ମ ଉପରେ ଆସ୍ଥା ନାହିଁ। ସେ ପୂରାପୂରି ଭାବେ ଧର୍ମରୁ ମୁକ୍ତି ପାଇବା ପାଇଁ ସରକାରୀ ଦସ୍ତାବିଜଗୁଡ଼ିକର ନିଜ ନାଁକୁ ବଦଳାଇବାକୁ ଚାହୁଁଛନ୍ତି। ସେ ତାଙ୍କ ନାଁ RV155677820 ରଖିବାକୁ ଚାହୁଁଛନ୍ତି। କିନ୍ତୁ ଏଥିପାଇଁ ତାଙ୍କ ରାସ୍ତାରେ ବାଧକ ସାଜିଛି ଗୁଜରାଟ ଫ୍ରିଡମ୍ ଅଫ୍ ରିଲିଜିୟନ୍ ଆକ୍ଟ। ଏହି ନିୟମ ଧର୍ମାନ୍ତରୀକରଣକୁ ଅନୁମତି ଦିଏ, କିନ୍ତୁ ନାସ୍ତିକ ହେବା ପାଇଁ ନୁହେଁ।

ଏହି ଅଟୋ ଚାଳକଙ୍କ ନାଁ ରାଜବୀର ଉପାଧ୍ୟାୟ। ସେ ଚାନ୍ଦଖେଡ଼ାର ବାସିନ୍ଦା। ସେ ନିଜ ନାମ ପରିବର୍ତ୍ତନ ପାଇଁ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଅହମଦାବାଦ ଜିଲ୍ଲା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଏଭଳି ଏକ ନାମ ପାଇବା ପାଇଁ ଆବେଦନ ହୋଇଥିବା ଦେଖି ଜିଲ୍ଲାପାଳଙ୍କ ଅଫିସ୍ ତାଜୁବ ହୋଇଯାଇଥିଲା।

ଗତ ମାସରେ ସେ ଦ୍ୱିତୀୟ ଥର ପାଇଁ ତାଙ୍କ ନାମ ପରିବର୍ତ୍ତନ ନେଇ ଆବେଦନ କରିଥିଲେ ଓ ଆର୍‌ଟିଆଇରେ ତାଙ୍କର ଆବେଦନ ସଂପର୍କିତ ସ୍ଥିତାବସ୍ଥା ଜାଣିବା ପାଇଁ ଚାହିଁଥିଲେ।

ସେ ତାଙ୍କ ଆବେଦନ ପତ୍ରରେ ଲେଖିଛନ୍ତି,“ମୋତେ ନାସ୍ତିକ ଘୋଷଣା କରାଯାଉ। ଭୋଟର ଆଇଡି, ପାନ୍ କାର୍ଡ ଓ ଆଧାରକାର୍ଡ ଭଳି ସରକାରୀ ଦସ୍ତାବିଜ୍‌ ଗୁଡ଼ିକରେ ମୋ ନାଁ RV155677820 ରଖାଯାଉ।”

ଏଭଳି ଏକ ନାଁ ପାଇଁ ରାଜୀବର ନିଜ ସ୍କୁଲ୍‌ର ରୋଲ୍ ନମ୍ବରକୁ ଆପଣାଇଛନ୍ତି। RV କୁ ସେ ତାଙ୍କ ନାଁ ରାଜବୀରରୁ ନେଇଛନ୍ତି। ଆଉ ନମ୍ବରଗୁଡ଼ିକ ସ୍କୁଲ୍ ଲିଭିଙ୍ଗ୍ ସାର୍ଟିଫିକେଟ୍‌ରେ ଉଲ୍ଲେଖ ଥିବା ନମ୍ବରକୁ ନେଇଛନ୍ତି।