୫୦୦ ଫୁଟ୍‌ ତଳକୁ ଖସିଲା ବସ୍‌: ୩୩ ଯାତ୍ରୀ ମୃତ

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ୱେବାଲି ଘାଟିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘାଟି ପାର୍‌ ହୋଇ ଏକ ଯାତ୍ରୀବାହୀ ବସ୍‌ ମହାବଳେଶ୍ୱର ଯାଉଥିବା ବେଳେ ୫୦୦ ଫୁଟ୍ ତଳକୁ ଖସି ପଡ଼ିବାରୁ  ୩୩ ଜଣଙ୍କ ମୃତ୍ୟୁ ଘଟିଛି।  ଲଗାଣ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ଘଟୁଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ମୃତାହତମାନେ ଡାପୋଲି ସହରରେ ଥିବା ଡ.ବାଲାସାହେବ ସାୱନ୍ତ କୋଙ୍କଣ କୃଷି ବିଦ୍ୟାପୀଠର କର୍ମଚାରୀ ବୋଲି ଜଣାପଡ଼ିଛି। ଏମାନେ ମହାବଳେଶ୍ୱରକୁ ପିକନିକ୍‌ ପାଇଁ ଯାଉଥିବା ବେଳେ ଘାଟି ନିକଟରେ ଏଭଳି ଘଟଣା ଘଟିଛି। ଡ୍ରାଇଭର ବସ୍‌ ଉପରେ ନିୟନ୍ତ୍ରଣ ହରାଇବାରୁ ଏଭଳି ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁର୍ଘଟଣାଟି ଦିନ ୧୨.୩୦ରେ ଘଟିଥିଲେ ହେଁ ପାଖାପାଖି ଏକ ଘଣ୍ଟା ପରେ ବସ୍‌ରେ ଥିବା ପ୍ରକାଶ ସାୱନ୍ତ ଦେଶାଇ ନାମକ ଜଣେ ବ୍ୟକ୍ତି ଆହତ ଅବସ୍ଥାରେ ଘାଟି ଉପରକୁ ଆସି ଏ ସଂକ୍ରାନ୍ତରେ ଖବର ଦେବା ପରେ ହିଁ ଘଟଣାଟି ସାମ୍ନାକୁ ଆସିଥିଲା। ବସ୍‌ଟି ଘାଟିରୁ ଖସିବା ବେଳେ ସେ ଝର୍‌କା ବାଟେ ବାହାରି ଏକ ଗଛରେ ଲାଖି ଯାଇଥିଲେ। ଗାଁ ଲୋକମାନେ ପ୍ରଥମେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଣେରୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଦୁର୍ଘଟଣା ପୂର୍ବରୁ ମୃତାହତ ଉଠାଇଥିବା ଫଟୋ

ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟ୍ୱିଟ୍‌ କରି ଗଭୀର ଶୋକ ବ୍ୟକ୍ତ କରିଛନ୍ତି।