ଆଲୋକ ବର୍ମାଙ୍କ ଘର ଚାରିପାଖେ ସନ୍ଦେହଜନକଭାବେ ବୁଲୁଥିବାରୁ ୪ ଗିରଫ

ନୂଆଦିଲ୍ଲୀ: ଛୁଟିରେ ଥିବା ସିବିଆଇ ମୁଖ୍ୟଙ୍କ ଦିଲ୍ଲୀସ୍ଥିତ ଘର ଚାରିପାଖରେ ସନ୍ଦେହଜନକଭାବେ ବୁଲୁଥିବାରୁ ଏବଂ ଗତିବିଧି ଉପରେ ନଜର ରଖୁଥିବା କାରଣରୁ ଆଜି ସକାଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଆଲୋକଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ କୌଶଳକ୍ରମେ ଧରି ଘର ଭିତରକୁ ନେଇଯାଇଥିବା ଜଣାଯାଇଛି। ବର୍ତ୍ତମାନ ସ୍ଥାନୀୟ ପୁଲିସ ଥାନାକୁ ଖବର ଦିଆଯିବା ସହିତ ସେମାନଙ୍କୁ ପଚରାଉଚରା ଜାରି ରହିଛି।

ଅନ୍ୟ ଏକ ସୂତ୍ରରୁ ସନ୍ଦେହ କରାଯାଉଛି ସେମାନେ ଗୁଇନ୍ଦା ଅଧିକାରୀ ଏବଂ ଶ୍ରୀ ବର୍ମାଙ୍କ ଉପରେ ସେମାନେ କଡ଼ା ନଜର ରଖୁଛନ୍ତି। ତାଙ୍କ ଅଧିନରେ ଥିବା ଅଧିକାରୀ ତଥା ଛୁଟିରେ ଥିବା ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସେ ତଦନ୍ତ ନିର୍ଦ୍ଦେଶ ଦେବାପରେ ଗତକାଲିଠାରୁ ତାଙ୍କୁ ଛୁଟି ପଠାଇ ଦିଆଯାଇଛି ଏବଂ ତାଙ୍କ ସ୍ଥାନରେ ଯୁଗ୍ମ ନିର୍ଦ୍ଦେଶକ ‌ଏମ୍‌ ନାଗେଶ୍ୱର ରାଓ ବର୍ତ୍ତମାନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି। ଅସ୍ଥାନାଙ୍କୁ ମଧ୍ୟ ଛୁଟିରେ ପଠାଇ ଦିଆଯାଇଛି।