ବିମାନରେ ଚାଲିଗଲା ୪ମାସ ଶିଶୁର ଜୀବନ

ହାଇଦ୍ରାବାଦ: ବେଙ୍ଗାଲୁରୁରୁ ପାଟନା ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନରେ ଗତକାଲି ଜଣେ ୪ ମାସ ଶିଶୁର ମୃତ୍ୟୁ ଘଟିଛି। ଶ୍ୱାସରୁଦ୍ଧ ହୋଇ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।  ଶୁଶୁଟିକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରେ ହାଇଦ୍ରାବାଦ ବିମାନବନ୍ଦରରେ ତା’ର ମୃତ୍ୟୁ ଘଟିଥିଲା। ପୋଲିସ କହିବା ଅନୁଯାୟୀ ୬-ଇ ୮୯୭ ଇଣ୍ଡିଗୋ ବିମାନରେ ଶିଶୁପୁତ୍ରଟି ନିଜ ବାପା ମା’ଙ୍କ ସହ ବେଙ୍ଗାଲୁରୁରୁ ଯାତ୍ରା କରୁଥିଲା। ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ମାତ୍ରେ  ଶିଶୁଟି ଅସୁସ୍ଥ ହୋଇ ପଡ଼ିଥିଲା।

ଶିଶୁଟିକୁ ହାଇଦ୍ରାବାଦ ନେଇଯିବାକୁ ନିଷ୍ପତ୍ତି ହୋଇଥିଲା। ହାଇଦ୍ରାବାଦରେ ବିମାନରୁ ଓହ୍ଲାଇବା ମାତ୍ରେ ତାକୁ ସଙ୍ଗେସଙ୍ଗେ ଘରୋଇ ହସପିଟାଲକୁ ନିଆଯାଇଥିଲା।  ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଶିଶୁଟିର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ଉକ୍ତ ଘଟଣାରେ ଇଣ୍ଡିଗୋ ଏୟାରଲାଇନ୍‌ସ ଦୁଃଖ ପ୍ରକାଶ କରିଛି।  ପୁଲିସ୍ ସିଆର୍‌ପିସି ଧାରା ୧୭୪ ଅନୁଯାୟୀ ଏକ ମାମଲା ରୁଜୁ କରିଛି।