ଅଯୋଧ୍ୟା ବିବାଦରେ ନୂଆ ଟ୍ୱିଷ୍ଟ: ଏହି ସ୍ଥାନରେ ୫ ଏକର ଜମି ମାଗିଲା ମୁସଲିମ ପକ୍ଷ

ଅଯୋଧ୍ୟା: ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦ୍‌ ବିବାଦରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ସୁପ୍ରିମକୋର୍ଟ ରାମ ଲଲା ନ୍ୟାସକୁ ଦେଇଥିବା ବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟତ୍ର ୫ ଏକର ଜାଗା ମସଜିଦ ନିର୍ମାଣ ପାଇଁ ଦେବାକୁ କହିଥିଲେ। ଏହି ୫ ଏକର ଜମି ଅଯୋଧ୍ୟା ମଧ୍ୟରେ ହିଁ ମୁସଲିମ ପକ୍ଷଙ୍କୁ ମିଳିବ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏବେ ଏହି ଜମି ବିବାଦର ମୁଖ୍ୟ ଲିଟିଗାଣ୍ଟ ଇକବାଲ ଅନସାରୀ ନୂଆ ଦାବି ଜଣାଇଛନ୍ତି। ଅଯୋଧ୍ୟାର ବିବାଦୀୟ ଅଞ୍ଚଳକୁ ଲାଗି ରହିଥିବା ୬୭ ଏକର ଜମି ମଧ୍ୟରୁ ମସଜିଦ୍‌ ପାଇଁ ୫ ଏକର ଜମି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। କେନ୍ଦ୍ର ସରକାର ଏହି ୬୭ ଏକର ଜମି ସହ ବିବାଦୀୟ ଅଞ୍ଚଳର ଜମିକୁ ୧୯୯୧ରେ ନିଜ ହେପାଜତକୁ ନେଇଥିଲେ। ତେଣୁ ଇକବାଲ ଏହି ୬୭ ଏକର ଜମିରୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଦାବି କରିଛନ୍ତି।

ଅନସାରୀ କହିଛନ୍ତି, “ଯଦି ସେମାନେ ଆମକୁ ଜମି ଦେବାକୁ ଚାହୁଁଛନ୍ତି, ତା’ହେଲେ ଆମ ଇଚ୍ଛା ଅନୁସାରେ ଅଯୋଧ୍ୟାରେ ଜମି ଦିଅନ୍ତୁ। ଆମକୁ ମସଜିଦ ପାଇଁ ସରକାରଙ୍କ ହେପାଜତରେ ଥିବା ୬୭ ଏକର ଜମିରୁ ୫ ଏକର ମିଳୁ। ଯଦି ଏହି ସ୍ଥାନରେ ଆମକୁ ଜମି ମିଳିଲା, ତା’ହେଲେ ଆମେ ଏହାକୁ ଗ୍ରହଣ କରିବୁ। ନଚେତ ଆମକୁ କୌଣସି ଜମି ଦରକାର ନାହିଁ। ଆମେ ବିବାଦୀୟ ଅଞ୍ଚଳର ଚଉଦ କୋଶ ଦୂରରେ ମସଜିଦ ନିର୍ମାଣ କରିବୁ ନାହିଁ। ଆମକୁ ସେହିଠାରେ ହିଁ ଜମି ଦରକାର।”

ଶନିବାର ୪୯୧ ବର୍ଷ ଧରି ଲାଗି ରହିଥିବା ଅଯୋଧ୍ୟା ଜମି ବିବାଦର ରାୟ ସୁପ୍ରିମକୋର୍ଟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ବିବାଦୀୟ ଅଞ୍ଚଳରେ ରାମ ମନ୍ଦିର ନିର୍ମାଣ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଥିଲା। ଏହା ବିରୋଧରେ ଅନସାରୀ କୌଣସି ପ୍ରକାରର ରିଭ୍ୟୁ ପିଟିସନ ଦାଖଲ କରିବେ ନାହିଁ ବୋଲି କହିଥିଲେ।

ମୌଲାନା ଜଲାଲ ଅଶ୍ରଫ କହିଛନ୍ତି, “ଯଦି କୋର୍ଟ କିମ୍ବା ସରକାର ଆମ ଭାବପ୍ରବଣତାକୁ କିଛି ମାତ୍ରାରେ ବୁଝିଛନ୍ତି ବା ବୁଝିବାକୁ ଚାହୁଁଛନ୍ତି, ତା’ହେଲେ ସରକାର ଦଖଲ କରିଥିବା ଜମିରୁ ଆମକୁ ୫ ଏକ ଦିଅନ୍ତୁ। କାରଣ ସେଠାରେ ଆମର ଏକାଧିକ ସମାଧି ଓ ଦର୍ଘା ରହିଛି। ଏପରି ୧୮ଶହ ଶତାବ୍ଦୀର ସୁଫୀ ସନ୍ଥ କାଜି କୁଦୱାଙ୍କ ସମାଧୀ ମଧ୍ୟ ସେଇଠାରେ ରହିଥିଲା। ତେଣୁ ଆମକୁ ସେଠାରେ ମସଜିଦ ନିର୍ମାଣ ପାଇଁ ଜମି ମିଳିବା ଉଚିତ।”

ସର୍ବଭାରତୀୟ ମିଲ୍ଲି ପରିଷଦର ସାଧାରଣ ସମ୍ପାଦକ ଖାଲିକ ଅହମ୍ମଦ ଖାନ, ମୁସଲିମ ପକ୍ଷର ଅନ୍ୟତମ ଲିଟିଗାଣ୍ଟ ହାଜି ମେହବୁବ, ସାମାଜିକ କର୍ମୀ ୟୁସୁଫ ଖାନ୍‌ଙ୍କ ଭଳି ଅନେକ ଲୋକ ସମାନ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ବୋର୍ଡ ଅଫ ୱାକଫ୍‌ ପକ୍ଷରୁ ଆସନ୍ତା ୨୬ ତାରିଖରେ ଏକ ବୈଠକ ଡକା ଯାଇଛି। ଏଠାରେ ଜମି ବାବଦ ସମ୍ପର୍କରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।