ନାଗରିକତା ସଂଶୋଧନ ଆଇନକୁ ନେଇ ବେଙ୍ଗଲରେ ଟ୍ରେନ ପୋଡ଼ି

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ପଶ୍ଚିମବଙ୍ଗରେ ବ୍ୟାପକ ପୋଡ଼ାଜଳା ହୋଇଛି। ଗତକାଲି ଭଳି ଆଜି ମଧ୍ୟ ପଶ୍ଚିମବଙ୍ଗର ମର୍ଶିଦାବାଦରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ଓ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଲାଲଗୋଲା ରେଳ ଧାରଣା ଉପରେ ବିକ୍ଷୋଭକାରୀ ବସି ରହିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ଲାଲଗୋଲା ଷ୍ଟେସନରେ ରହିଥିବା ୫ଟି ଟ୍ରେନ୍‌ରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଛନ୍ତି। ପ୍ରଥମେ ବିକ୍ଷୋଭକାରୀ ଏହି ଟ୍ରେନ୍‌ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ। ଏଥିରେ କେହି ଯାତ୍ରୀ ନଥିବାରୁ ସେମାନେ ଏଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ।

ଏଥିସହ ସେମାନେ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହାପୂର୍ବରୁ ହାୱାଡାରେ ଥିବା ସନକ୍ରାଲି ରେଳ ଷ୍ଟେସନର ଭିତରେ ଓ ବାହାରେ ଲୋକମାନେ ବିକ୍ଷୋଭ କରିଥିଲେ। ଏହି ସମୟରେ ବିକ୍ଷୋଭକାରୀ ଷ୍ଟେସନର ଗୋଟିଏ ପାର୍ଶ୍ୱ କମ୍ଲେକ୍ସରେ ନିଆଁ ଲଗାଇ ଦେଇଥିଲେ। ସେହିପରି ରେଳ ଷ୍ଟେସନ ବାହାରେ ଥିବା କିଛି ଦୋକାନରେ ମଧ୍ୟ ଲୋକେ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି।

ମଧ୍ୟାହ୍ଣ ବେଳେ ବିକ୍ଷୋଭକାରୀ ଷ୍ଟେସନ ମଧ୍ୟରେ ପ୍ରବେଶ କରି ଏଠାରେ ଥିବା ଟିକେଟ କାଉଣ୍ଟରରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଠାରେ ମୁତୟନ ଥିବା ଆରପିଏଫ୍‌ମାନେ ଏହାକୁ ରୋକିବା ବେଳେ ବିକ୍ଷୋଭକାରୀ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।

ମୁର୍ଶିଦାବାଦର ପୋରାଡାଙ୍ଗା, ଜଙ୍ଗିପୁର ଓ ଫରକ୍କାରେ ଥିବା ବିଭିନ୍ନ ରେଳ ଧାରଣାରେ ବିକ୍ଷୋଭକାରୀ ବସି ରହିଥିଲେ। ବାହୁରିଆ ଓ ନାଲପୁର ଷ୍ଟେସନରେ ମଧ୍ୟ ବିକ୍ଷୋଭକାରୀ ପହଞ୍ଚି ଟ୍ରେନ ଚଳାଚଳ ବନ୍ଦ କରିଦେଇଛନ୍ତି। ଏହି କାରଣରୁ ଶତାଧିକ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ଏକାଧିକ ଟ୍ରେନର ଗତିପଥ ବଦଳା ଯାଇଥିବା ବେଳେ ଆଉ କିଛି ଟ୍ରେନକୁ ବାତିଲ କରାଯାଇଛି।