ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ: ଶୋଇଥିବା ବେଳେ ୫ ଜୀବନ୍ତ ଦଗ୍ଧ

ବେଙ୍ଗଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗଲୁରୁର ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟ ଭିତରେ ଶୋଇଥିବା ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ସେମାନେ ହେଲେ ସ୍ୱାମୀ(୨୩),ପ୍ରସାଦ (୨୦),ମଞ୍ଜୁନାଥ (୪୫), କିର୍ତ୍ତୀ(୨୪) ଓ ମହେଶ(୩୫)। କାଲି ବିଳମ୍ୱିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ପରିବାମଣ୍ଡି ଅଞ୍ଚଳର କୁବାରା ସାଘା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା କୈଳାସ ବାର୍‌- ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ।

ସୂଚନାଯୋଗ୍ୟ, ଗତ ଡିସେମ୍ୱର ୨୮ ତାରିଖରେ ମୁମ୍ବାଇର ଲୋୟର ପରେଲ ଅଞ୍ଚଳରେ ଥିବା କମଲା ମିଲ୍ସ ପରିସରରେ  ହୋଇଥିବା ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଥିଲେ।