୪ ଆତଙ୍କବାଦୀ ନିହତ,୫ ଯବାନ ସହିଦ

ନୂଆଦିଲ୍ଲୀ: ଜାମ୍ମୁର ସୁଂଜଓ୍ୱାନ୍ ସେନା ଶିବିର ଉପରେ ଆତଙ୍କବାଦୀ ହମ୍‌ଲା ପରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ୍। ଆଜି ଦ୍ୱିତୀୟ ଦିନରେ ସେନାର ଅପରେସନରେ ପ୍ରାଣ ହରାଇଛି ଚତୁର୍ଥ ଆତଙ୍କବାଦୀ। ଗତକାଲି ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା ସେନା। ତେବେ ଆଉ କିଛି ଆତଙ୍କବାଦୀ ସେନା ଶିବିରର ଆବାସିକ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସେପଟେ ଆତଙ୍କବାଦୀଙ୍କ ଆକ୍ରମଣରେ  ୫ ଜଣ ଯବାନ ସହିଦ ହୋଇଥିବା ବେଳେ  ଜଣେ ଯବାନଙ୍କ ବାପା ବି ପ୍ରାଣ ହରାଇଛନ୍ତି। ସେହିପରି ଦୁଇ ଜଣ ସେନା ଅଧିକାରୀ ଓ ୨ ଯବାନ ମଧ୍ୟ ଆହତ ହୋଇଛନ୍ତି। ସେନା ଅଧିକାରୀ ଓ ଯବାନଙ୍କ ୭ ଜଣ ସମ୍ପର୍କୀୟ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆତଙ୍କବାଦୀ ହମ୍‌ଲା ପରେ ସ୍ଥଳ ସେନା ଅଧ୍ୟକ୍ଷ ବିପିନ ରାଓ୍ୱତ ଜମ୍ମୁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ଗତକାଲି ଜୈଶ-ଏ-ମହମ୍ମଦର କିଛି ଆତଙ୍କବାଦୀ ଭୋରରେ ଜମ୍ମୁ-କାଶ୍ମୀର ଇନ୍‌ଫାଣ୍ଟ୍ରିର ୩୬ ତମ ବ୍ରିଗ଼େଡର ଏହି ସେନା ଶିବିର  ଉପରେ ଆକ୍ରମଣ କରିଥିଲେ। ସେମାନେ ଶିବିର ଭିତରେ ଥିବା ଫ୍ୟାମିଲି କ୍ୱାର୍ଟର୍ସକୁ ଟାର୍ଗେଟ କରିଥିଲେ। ପୂର୍ବରୁ ୨୦୦୩ ମସିହାରେ ଏହି ଆର୍ମି କ୍ୟାମ୍ପ ଉପରେ ମଧ୍ୟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ୧୨ଜଣ ଯବାନ ସହିଦ ହେବା ସହ ୭ଜଣ ଆହତ ହୋଇଥିଲେ।୨୦୧୬ରେ ଉରି ଆକ୍ରମଣ ପରେ ଏହା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ଉରି ଆକ୍ରମଣରେ ୧୯ ଜଣ ସେନା କର୍ମଚାରୀ ସହିଦ ହୋଇଥିଲେ।