ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କୁ ଏମିତି ମିଳିଲା ସଜା : କୋର୍ଟ ଶୁଣାଇଲେ ୫ଶହ ବର୍ଷର ଜେଲ ଦଣ୍ଡ

ନୂଆଦିଲ୍ଲୀ: ଠକେଇ ଯେମିତି ଦଣ୍ଡ ବିଧାନ ମଧ୍ୟ ସେତିକି କଠୋର।  ଲୋକଙ୍କୁ  ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଠକିଥିବା ଦୁଇ ବ୍ୟବସାୟୀଙ୍କୁ ମିଳିଛି  ୫ ଶହ ବର୍ଷ ଜେଲ୍।  ଏପରି କିଛି  ଦଣ୍ଡାଦେଶ ଶୁଣାଇଛନ୍ତି ଦୁବାଇ  କୋର୍ଟ।  ୨୦ କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ  ସିଡନୀ ଲୋମ୍ସଙ୍କୁ ହୋଇଛି ୫ ଶହ ବର୍ଷ ପାଇଁ ଜେଲ୍।  ଏହାସହ  ତାଙ୍କ ବରିଷ୍ଠ ଆକାଉଣ୍ଟାନ୍ ରିଆନ୍ ଡିସୋଜାଙ୍କୁ ମଧ୍ୟ ସମାନ ଦଣ୍ଡ  ହୋଇଛି ।

 ସିଡନୀ ଲୋମ୍ସ ହେଉଛନ୍ତି ଗୋଆ ନିବାସୀ।  ବହୁ ବର୍ଷ  ଧରି ଗୋଆରେ ବ୍ୟବସାୟ କରିବା ପରେ ଦୁବାଇ ଚାଲି ଯାଇଥିଲେ  ସିଡନୀ।  ଜାଲ୍ କମ୍ପାନୀ ଖୋଲି ଲୋକଙ୍କଠୁ କୋଟି କୋଟି ଟଙ୍କା  ଆଦାୟ କରିଥିଲେ ସିଡ଼ନୀ।  ପୁଞ୍ଜି ସ୍କିମ୍ ଜରିଆରେ ବର୍ଷକ ଜମା  ଟଙ୍କାର ୧୨୦ ପ୍ରତିଶତ ମିଳିବା ଲାଳସା ଦେଖାଇ ଟଙ୍କା ଆଦାୟ  କରିଥିଲେ ସିଡ଼ନୀଙ୍କ କମ୍ପାନୀ । ତେବେ ୨୦୧୬ରୁ ପ୍ରତିଶ୍ରୁତି ମୁତାବକ  ପଇସା ଫେରସ୍ତ କରିବାରେ ବିଫଳ ହେବା ପରେ ଜୁଲାଇ ୨୦୧୬ରୁ  କମ୍ପାନୀ ବନ୍ଦ ହୋଇଥିଲା।  ଯାହା ପରେ ଏନେଇ ଅଭିଯୋଗ  କରିଥିଲେ ଜମାକାରୀ।  ସିଡନୀଙ୍କ ପତ୍ନୀଙ୍କୁ ମଧ୍ୟ ମାମଲାରେ  ଅଭିଯୁକ୍ତ ଦର୍ଶାଇଛି ତଦନ୍ତକାରୀ ସଂସ୍ଥା।  ବେଆଇନ ଭାବେ ସିଡନୀଙ୍କ  କାର୍ଯ୍ୟାଳୟରେ ପଶି ଜମାକାରୀଙ୍କୁ କାଗଜ ହେରଫେର କରିଥିଲେ  ସିଡନୀଙ୍କ ସ୍ତ୍ରୀ ଭଲାନୀ କ୍ରାଡୋଜୋ।