ବିଏସ୍‌-ଥ୍ରୀ ମାଡ଼ରେ ବିଏସ୍‌-ଫୋର୍‌ ମାନ୍ଦା: ବାଇକ୍‌ ବଜାରରେ ୬ଶହ କୋଟିର ଘାଟା

ନୂଆଦିଲ୍ଲୀ:ବିଏସ-ଥ୍ରୀ ବାଇକ୍‌ ବିକ୍ରି ଉପରେ ସୁପ୍ରିମକୋର୍ଟ କଟକଣା ଜାରି କରିବା ପରେ ବାଇକ୍‌ କମ୍ପାନୀଙ୍କ ବେପାର ଜବରଦସ୍ତ ଘାଟା ହୋଇଛି।   ଏପ୍ରିଲ ୧ରୁ ବିଏସ-ଥ୍ରୀ ବାଇକ୍‌  ଆଉ ବିକ୍ରି ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ହାତରେ ଆଉ ୩ ଦିନ ଥିବାରୁ ବାଇକ୍ କମ୍ପାନୀ ଗୁଡ଼ିକ ଧମାକାଦାର ଅଫର ଘୋଷଣା କରିଥିଲେ। ସେହି ଅନୁଯାୟୀ ପବନବେଗରେ ଗାଡ଼ି ବିକ୍ରି  ହୋଇଥିଲେ ମଧ୍ୟ କମ୍ପାନୀ ମାନେ ସେତେଟା ଲାଭ ପାଇ ପାରି ନଥିଲା।

ସୁପ୍ରିମକୋର୍ଟଙ୍କ ଝଟ୍‌କା  ଏବଂ ମାଲାମାଲ ଅଫର ଘୋଷଣା ଯୋଗୁ ବାଇକ୍‌ କମ୍ପାନୀ ଗୁଡ଼ିକ ପାଖାପାଖି ୬୦୦ କୋଟି ଟଙ୍କା କ୍ଷତି ସହିଥିବା  ଏକ ଆକଳନରୁ ଜଣାପଡ଼ିଛି।  ସେହିପରି ଆହୁରି ଲକ୍ଷ ଲକ୍ଷ ବାଇକ୍‌ ମଧ୍ୟ ବିକ୍ରି ହୋଇପାରି ନାହିଁ। କ୍ଷତିଭରଣା ହୋଇ ନପାରିବାରୁ  ବିଏସ-୪ ବାଇକ୍‌ ନିର୍ମାଣ ପାଇଁ କମ୍ପାନୀମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଏସ-ଥ୍ରୀ ବାଇକ୍‌କୁ ସର୍ବୋଚ୍ଚ ନ୍ୟାୟାଳୟ ବାରଣ କରିବା ପରେ ଦେଶରେ  ୮ ଲକ୍ଷ ବାଇକ୍‌ ଉପରେ ଏହାର ପ୍ରଭାବ ପଡ଼ିଥିଲା।  ବିଏସ-ଥ୍ରୀ ବାଇକ୍‌ ଯୋଗୁଁ ଅଧିକ ପ୍ରଦୂଷଣ ହେଉଥିବାରୁ ଏହାକୁ ବନ୍ଦ କରି ଏହା ବଦଳରେ ବିଏସ-୪ ବାଇକ୍‌ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।