ମବ୍‌ ଲିଞ୍ଚିଙ୍ଗକୁ ନେଇ ସେଲେବ୍ରିଟି ମୁହାଁମୁହିଁ, କାଉଣ୍ଟର ଚିଠି ଲେଖିଲେ ୬୨ ବ୍ୟକ୍ତିବିଶେଷ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମବ୍‌ ଲିଞ୍ଚିଙ୍ଗକୁ ନେଇ ଏବେ ବଲିଉଡ୍‌ ସେଲେବ୍ରିଟି ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ମୁହାଁମୁହିଁ ହୋଇଛନ୍ତି। ମବ୍‌ ଲିଞ୍ଚିଙ୍ଗ ଭଳି ଘୃଣ୍ୟ ଘଟଣା ବିରୋଧରେ ଗତ ୨୪ ତାରିଖରେ ଦେଶର ପ୍ରତିଷ୍ଠିତ ୪୯ ଜଣ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଏବେ ଏହାକୁ କାଉଣ୍ଟର କରି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ସମେତ ୬୨ ଜଣଙ୍କ ସେଲିବ୍ରିଟି ଏକ ଖୋଲା ଚିଠି ଲେଖିଛନ୍ତି।

ମବ୍ ଲିଞ୍ଚିଙ୍ଗଙ୍କୁ ନେଇ ୪୯ ତାରକା ବ୍ୟକ୍ତିବିଶେଷ ଲେଖିଥିବା ଚିଠିକୁ ୬୨ ଜଣ ସେଲିବ୍ରିଟି ‘ସିଲେକଟିଭ୍‌ ଆଉଟ୍‌ରେଜ’ ଓ ‘ଫଲ୍ସ ନ୍ୟାରେଟିଭ୍‌” ବୋଲି କହିଛନ୍ତି। ଅର୍ଥାତ କେବଳ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଓ ନିଜସ୍ୱ ଏଜେଣ୍ଡାର ପ୍ରଚାର କରିବା ପାଇଁ କିଛି ଲୋକ ଉଦ୍ୟମ କରୁଥିବା ୬୨ ଜଣ ସେଲିବ୍ରିଟି ସେମାନଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଏଥିସହ ଚିଠି ଲେଖିଥିବା ୬୨ ଜଣ ବ୍ୟକ୍ତିବିଶେଷ ପୂର୍ବରୁ ଚିଠି ଲେଖିଥିବା ସେଲେବ୍ରିଟିଙ୍କୁ ଦେଶର ଆତ୍ମଘୋଷିତ ଅଭିଭାବକ ଓ ତଥାକଥିତ ରକ୍ଷକ ଭାବେ ବର୍ଣ୍ଣନା କରିଛନ୍ତି। ୪୯ ଜଣ ବ୍ୟକ୍ତିବିଶେଷ ଯେଉଁ ଚିଠି ଲେଖିଛନ୍ତି ତାହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଓ ପ୍ରଚାରଧର୍ମୀ। ଚିଠି ଲେଖିବା ବେଳେ ସେମାନେ ନିଜର ହିତାହିତ ଜ୍ଞାନ ମଧ୍ୟ ହରାଇଥିବା ଏହି ଚିଠିରେ ଲେଖାଯାଇଛି। “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ମବ୍‌ ଲିଞ୍ଚିଙ୍ଗକୁ ବିରୋଧ କରି ଆସିଛନ୍ତି।

ରାଜ୍ୟ ସରକାରମାନଙ୍କୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ତେଣୁ କେବଳ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଓ ମିଛ ପ୍ରଚାର କରିବା ଭଳି କାର୍ଯ୍ୟରୁ ସମସ୍ତେ ଦୂରେଇ ରହିବା ଦରକାର। ଆମର ଆଶା ଭାରତ ଆଗକୁ ମଧ୍ୟ ବିକାଶର ପଥେ ଆଗେଇ ଚାଲିବ। ସବ୍‌ କା ସାଥ, ସବକା ବିକାଶ ଓ ସବ୍‌କା ବିଶ୍ୱାସ ନାରା ସଫଳ ହେବ” ବୋଲି ୬୨ ଜଣ ସେଲିବ୍ରିଟି ତାଙ୍କ ଚିଠିରେ କହିଛନ୍ତି। ପୂର୍ବରୁ ଚିଠି ଲେଖିଥିବା ୪୯ ଜଣ ବ୍ୟକ୍ତିବିଶେଷ ବିଶ୍ୱ ଦରବାରରେ ଦେଶର ଛବିକୁ ଖରାପ କରିବା ପାଇଁ ଯୋଜନାମୂଳକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ମଧ୍ୟ କହିଛନ୍ତି।

ଆଜି ଯେଉଁ ୬୧ ଜଣ ବ୍ୟକ୍ତି ବିଶେଷ ଏକ ଖୋଲା ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍, ସିବିଏଫସି ମୁଖ୍ୟ ପ୍ରସୁନ୍ନ ଯୋଶୀ, କ୍ଲାସିକାଲ ଡ୍ୟାନ୍ସର ତଥା ସାଂସଦ ସୋନାଲ ମାନସିଂହ, ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକରଙ୍କ ଭଳି ସେଲେବ୍ରିଟି ରହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅସହିଷ୍ଣୁତା ପ୍ରସଙ୍ଗରେ ଏହି ୪୯ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଯାହାକୁ ନେଇ ଦେଶରେ ବିତର୍କ ଆରମ୍ଭ ହେବା ସହ ରାଜନୀତିକ ଆକ୍ଷେପ ଓ ପ୍ରତିଆକ୍ଷେପ ହୋଇଥିବା ଦେଖିବାକୁ ମିଲିଥିଲା।