ମହଙ୍ଗା ପଡ଼ିଲା ମହିଳାଙ୍କ ସହ ଫେସବୁକ୍‌ ବନ୍ଧୁତା, ହରାଇଲେ ୯.୪ ଲକ୍ଷ

ମୁମ୍ବାଇ: ଫେସବୁକ୍‌ ଯେ କେତେ ଘାତକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ମୁମ୍ବାଇରେ ଦେଖିବାକୁ ମିଳିଛି। ଜଣେ ୬୫ ବର୍ଷୀୟ ବ୍ୟକ୍ତି ପ୍ରଥମେ ଫେସ୍‌ବୁକ୍‌ରେ ଜଣେ ମହିଳାଙ୍କ ସହ ବନ୍ଧୁତା କରିବା ପରେ ତାଙ୍କ କଥାରେ ପଡ଼ି ୯.୪୦ ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ସେ ପୁଲିସ୍‌କୁ ସୂଚନା ଦେବାପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହି ବୃଦ୍ଧ ଜଣଙ୍କ ଘର ମୁମ୍ବାଇର କାନ୍ଦିଭଲି ଉପକଣ୍ଠରେ। ଏହି ବର୍ଷ ଅଗଷ୍ଟରେ ସେ ଜୋର୍ଡାନ ଲିଓନି ନାମକ ଜଣେ ମହିଳାଙ୍କ ସହ ଫେସବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲେ।

ମହିଳା ଜଣଙ୍କ ଜୋର୍ଡାନରେ ଏକ ବିୟୁଟି ପାର୍ଲରର ମାଲିକ ହୋଇଥିବାର ପରିଚୟ ଦେଇ ତାଙ୍କ ସହ କଥା ହୋଇଥିଲେ। ସମୟକ୍ରମେ ବୃଦ୍ଧ ଜଣଙ୍କ ଲିଓନିଙ୍କ କଥାରେ ଏତେ ଭାସି ଯାଇଥିଲେ ଯେ ସେ ଯାହା କହୁଥିଲେ ବୃଦ୍ଧ ଜଣଙ୍କ ସେୟା କରୁଥିଲେ।

କିଛି ଦଳରେ ବୃଦ୍ଧଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ନାଁ ଅମିତ ଓ ସେ ଲିଓନିଙ୍କ ସହକର୍ମୀ ବୋଲି କହିଥିଲେ। ଲିଓନି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରହିଛନ୍ତି ବୋଲି ଅମିତ ବୃଦ୍ଧଙ୍କୁ କହିଥିଲେ।

ଅମିତ ଆହୁରି କହିଥିଲେ ଯେ ଲିଓନି ୭୦,୦୦୦ ଡଲାର ନେଇ ଆସୁଥିବା ବେଳେ ଇମିଗ୍ରେସନ୍‌ ଅଧିକାରୀମାନେ ତାଙ୍କୁ ଅଟକ ରଖିଛନ୍ତି। ତେବେ ବୃଦ୍ଧ ଜଣଙ୍କ ଯଦି ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ୍‌ରେ ୨୪ ହଜାର ଟଙ୍କା ତୁରନ୍ତ ଜମା କରିବେ, ତା’ହେଲେ ଲିଓନି ଛାଡ଼ ପାଇଯିବେ ବୋଲି ଅମିତ କହିଥିଲେ। ବୃଦ୍ଧ ଜଣଙ୍କ ଲିଓନିଙ୍କ ପାଇଁ ତୁରନ୍ତ ଅମିତ ଦେଇଥିବା ଆକାଉଣ୍ଟରେ ୨୪ ହଜାର ଟଙ୍କା ଜମା କରିଦେଇଥିଲେ।

ଏହାପରେ ଅମିତ କ୍ରମାଗତ ଭାବେ ତାଙ୍କୁ ଫୋନ୍‌ କରି ମୋଟ ୯.୪ ଲକ୍ଷ ଟଙ୍କା ନେଇଥିଲେ। ତା’ପରେ ସେ କିମ୍ବା ଲିଓନି ଆଉ ତାଙ୍କ ସହ ଯୋଗାଯୋଗ କରିନଥିଲେ।

ସେ ଯେ ଏକ ବଡ଼ ଠକାମୀର ଶିକାର ହୋଇଛନ୍ତି ସେକଥା ବୁଝିଯିବା ପରେ ବୃଦ୍ଧ ଜଣଙ୍କ ଏହା ବିରୋଧରେ ଆଜି ଏଫ୍‌ଆଇଆର୍‌ ଦେଇଛନ୍ତି। ଏ ସଂକ୍ରାନ୍ତରେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।