ପାହାଡ଼ରେ ପିଟି ହେଲା ବିମାନ: ୬୬ ମୃତ

ତେହେରାନ୍: ଇରାନରେ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ୬୬ ଜଣ ପ୍ରାଣ ହରାଇଛନ୍ତି। ଆଜି ସକାଳେ ଆସେମନ୍ ଏୟାରଲାଇନର  ATR-72 ନାମକ ଏକ ବିମାନ ତେହେରାନରୁ ୭୮୦ କିଲେମିଟର ଦୂର ୟାସୁଜରେ ଏକ ପାହାଡ଼ରେ ପିଟି ହୋଇଯାଇଥିଲା।

ସୂଚନା ଅନୁଯାୟୀ ବିମାନଟି ଇରାନ୍‌ର ମେହରାବାଦ୍ ବିମାନବନ୍ଦରରୁ ୟାସୁଜ ସହରକୁ ଯାତ୍ରା କରୁଥିଲା। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଜାଗ୍ରୋସ୍ ପର୍ବତମାଳାର ଦେନା ପର୍ବତରେ ପିଟି ହୋଇଯାଇଥିଲା। ଏହି ପର୍ବତଟିର ଉଚ୍ଚତା ପ୍ରାୟ ୧,୪୪୦ଫୁଟ ହେବ। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ବିମାନରେ ୬ ଜଣ ବିମାନ କର୍ମଚାରୀଙ୍କ ସହିତ ୬୦ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣାସ୍ଥଳକୁ ଏକ ହେଲିକପ୍ଟରରେ ରେସକ୍ୟୁ ଟିମ୍ ଯାଇଥିଲେ। କିନ୍ତୁ ଘନ କୁହୁଡ଼ି ହେତୁ ହେଲିକପ୍ଟର ସେଠାରେ ଅବତରଣ କରିପାରିନଥିଲା। ଏ ପର୍ଯ୍ୟନ୍ତ କାହାର ସନ୍ଧାନ ମିଳିନାହିଁ।