ଜାମ୍ ନେଇଗଲା ଜୀବନ: ୧୦ କିଲୋମିଟର ଲମ୍ବା ଭିଡ଼ରେ ଫସିଗଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ଆଗ୍ରାର ଏକ ୭ ବର୍ଷର ବାଳକ ଗୁରୁତର ଅସୁସ୍ଥ ଥିଲା। ଚିକିତ୍ସା ପାଇଁ ତାକୁ ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଅଣାଯାଉଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚି ପାରିଲାନି ସେ। ବାଟରେ ୧୦ କିଲୋମିଟରର ଲମ୍ବା ଜାମ୍‌ରେ ଫସିଗଲା ଆମ୍ବୁଲାନ୍ସ। ଉପାୟ ଶୂନ୍ୟ ହୋଇଯାଇଥିଲେ ପରିବାର ଲୋକେ। ଆଉ ଜାମ୍‌ରେ ଚାଲି ଯାଇଥିଲା ନିଷ୍ପାପ ଶିଶୁଟିର ଜୀବନ। ଏନେଇ ପୋଲିସ୍ ଅଜଣା ବ୍ୟକ୍ତିମାନଙ୍କ ନାଁରେ ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ରୁଜୁ କରିଛି।

ଦିଲ୍ଲୀ ନିକଟସ୍ଥ ନୋଏଡାରେ ରାସ୍ତାରେ କିଛି ନିବେଶକ ଏକ ରିୟଲ ଇଷ୍ଟେଟ୍‌ କଂପାନୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସେମାନେ ଏକ୍ସପ୍ରେସ୍‌ୱେ ଉପରେ ବିରୋଧ ପ୍ରଦର୍ଶନ କରୁଥିବା ଯୋଗୁ ଗ୍ରେଟର ନୋଏଡା-ନୋଏଡା ରାସ୍ତାରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଜାମ୍ ହୋଇଥିଲା। ଏହି ଜାମ୍‌ରେ ଆମ୍ବୁଲାନ୍ସଟି ଫସି ଯାଇଥିଲା।

ଏହି ଘଟଣା ଆନ୍ଦୋଳନକାରୀଙ୍କ ସମେତ ଟ୍ରାଫିକ ପୋଲିସ୍‌ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।