୭୫ ପ୍ରତିଶତ ମହିଳା ଚାହାଁନ୍ତି ନାହିଁ ୨ୟ ସନ୍ତାନ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ପରିବର୍ତ୍ତନଶୀଳ ସମାଜରେ ଦିନକୁ ଦିନ ମଣିଷଙ୍କ ଚଳଣି ପରିବର୍ତ୍ତିନ ହେବାରେ ଲାଗିଛି। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଆମ ଜୀବନଶୈଳୀକୁ ପ୍ରଭାବିତ କରୁଛି। ଦିନ ଥିଲା କୁହାଯାଉଥିଲା ଯାହାର ଯେତେ ବଡ ପରିବାର ସମାଜରେ ତାର ସେତେ ଖାତିର। କିନ୍ତୁ ଦିନ ବଦଳିବାରେ ଲାଗିଛି। ଏହି ପରିବର୍ତ୍ତିତ ଧାରାରେ “ଛୋଟ ପରିବାର, ସୁଖୀ ପରିବାରର”ର କଥା ମଧ୍ୟ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ନିକଟରେ ମହିଳାମାନେ କେତୋଟି ସନ୍ତାନ ଚାହାଁନ୍ତି ତାହାକୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ଗବେଷଣାକୁ ଆଧାର କରି କୁହାଯାଉଛି ଯେ, ଭାରତର ୭୫ ପ୍ରତିଶତ ମହିଳା ମାତ୍ର ଗୋଟିଏ ସନ୍ତାନ ଚାହାଁନ୍ତି। ପୁଅ ହେଉ ବା ଝିଅ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ସେମାନେ ଗୁରୁତ୍ୱାରୋପ କରୁଛନ୍ତି ।

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୫ରୁ ୪୯ ବର୍ଷ ବୟସର ଅବିବାହିତ ଓ ବିବାହିତ ମହିଳାଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ବିଳମ୍ବରେ ବିବାହ, ଉଚ୍ଚାଭିଳାଷ ଓ ଭଲ କ୍ୟାରିୟର ଗଠନ ଲାଗି ଉପରୋକ୍ତ ବୟସର ମହିଳମାନେ ଦ୍ୱିତୀୟ ସନ୍ତାନ ଚାହୁଁ ନ ଥିବା ଜଣାପଡିଛି। ଏହି ଗବେଷଣାରୁ ଆଉ ଗୋଟିଏ କଥା ମଧ୍ୟ ସାମ୍ନାକୁ ଆସିଛି ଯେ, ଭାରତୀୟ ସହରର ଦମ୍ପତିମାନେ ୩୦ ଓ ୪୦ ବର୍ଷ ବୟସ ମଧ୍ୟରେ ପ୍ରଥମ ସନ୍ତାନ ଲାଗି ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଏଣୁ ଏହା ସ୍ୱଭାବିକ ଯେ, ସେମାନଙ୍କ ବୟସ ଅନୁପାତକୁ ଦେଖିଲେ ଦ୍ୱିତୀୟ ସନ୍ତାନ ପାଇଁ ସେମାନେ ଆଦୌ ଆଗ୍ରହୀ ନୁହେଁ, ଏ କଥା ଜାଣିହେବ।

୨୦୧୧ ଜନଗଣନା ମୁତାବକ ଭାରତରେ ୫୪ ପ୍ରତିଶତ ମହିଳା ୨ ସନ୍ତାନର ଜନନୀ ଥିଲେ। ସେହି ସମୟରେ ୨୫ରୁ ୨୯ ବର୍ଷ ବୟସ ମଧ୍ୟରେ ବିବାହ କରିଥିବା ମହିଳା ମାଆ ହୋଇ ନ ଥିଲେ। ପପୁଲେସନ୍‌ ଫେଡରେସନ୍‌ ଅଫ୍‌ ଇଣ୍ଡିଆର କହିବା ମୁତାବକ ବଦଳୁଥିବା ଜୀବନଶୈଳୀ ସକାସେ ଲୋକେ ଗୋଟିଏ ସନ୍ତାନକୁ ଭଲ ଶିକ୍ଷା ଦେବା ସହ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଦ୍ୱିତୀୟ ସନ୍ତାନ ପ୍ରତି ଆଗ୍ରହ ଦେଖାଉ ନଥିବା ଜଣାପଡିଛି।