ସପ୍ତମବେତନ କମିଶନ: ସମ୍ପୂର୍ଣ୍ଣ ତଥ୍ୟ ନ ଜାଣି ଜାହିର କଲେ ଅସନ୍ତୋଷ

ଭୁବନେଶ୍ୱର: ସପ୍ତମବେତନ କମିଶନ ଘୋଷଣା ହେଉ ହେଉ ପ୍ରତିକ୍ରିୟା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ନେଇ ଅସନ୍ତୋଷ।  ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସପ୍ତମବେତନ କମିଶନ ଲାଗୁ ପାଇଁ  ମଙ୍ଗଳବାର ସନ୍ଧ୍ୟା ୭ଟାରେ ଘୋଷଣା କରିଥିଲେ।  ଏଥିରେ କର୍ମଚାରୀମାନେ ଖୁସି ପ୍ରକଟ କରିଥିଲେ ବି ସଚିବାଳୟ କର୍ମଚାରୀ ସମନ୍ୱୟ ସମିତି ଅସନ୍ତୋଷ ଜାହିର କରିଥିଲା ।

ଦାବି କରିଥିଲେ ସେପ୍ଟେମ୍ବର ନୁହେଁ ପିଛିଲା ଭାବେ ଜାନୁୟାରୀ ମାସରୁ ବର୍ଦ୍ଧିତ ଦରମା ଲାଗୁ ହେଉ । ହେଲେ ପରେ ସବିଶେଷ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଥିଲା। ଏଥିରେ ଜାନୁଆରୀ ପହିଲା ୨୦୧୬ରୁ ପିଛିଲା ଭାବେ  ବର୍ଦ୍ଧିତ ଦରମା ଲାଗୁ ହେବ ବୋଲି ଜଣାପଡ଼ିଛି।  ସେପ୍ଟେମ୍ବର ୨୭ରୁ ପୂଜା ଛୁଟି ଘୋଷଣା ହୋଇଥିବା ବେଳେ ବର୍ଦ୍ଧିତ ଦରମା ସେପ୍ଟେମ୍ବର ୨୬ରେ ମିଳିବ।

ଆଜି ସନ୍ଧ୍ୟାରେ ଓଟିଭିକୁ ପ୍ରତିକ୍ରିୟା ଦେଇ ସଚିବାଳୟ କର୍ମଚାରୀ ସମନ୍ୱୟ ସମିତି ସଭାପତି କୃଷ୍ଣ ଚନ୍ଦ୍ର ସାହୁ କହିଥିଲେ ଯେ, “ଆମର ଦାବି ଥିଲା ୨୦୧୬ ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଲାଗୁ କରିବାକୁ। ମାତ୍ର ରାଜ୍ୟ ସରକାର ସେପ୍ଟେମ୍ୱର ୧ରୁ ଲାଗୁ କଲେ। ଏଥିରେ ଆମର ଖୁସି ହେବାର କିଛି ନାହିଁ। ଯଦି ଜାନୁଆରୀ ୧ରୁ ସେପ୍ଟେମ୍ୱର ୧ ପର୍ଯ୍ୟନ୍ତ ବକେୟା ଦିଆ ନଯାଏ, ତାହାହେଲେ ଆମେ ବିରୋଧ କରିବୁ।”  ସଚିବାଳୟ କର୍ମଚାରୀ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ବିବେକ ସାମଲ କହିଛନ୍ତି-“ସପ୍ତମ ବେତନ ଲାଗୁ ହୋଇଥିବାରୁ ଆମେ ବହୁତ ଖୁସି ଅଛୁ। ଏଥିପାଇଁ ସଚିବାଳୟ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛୁ।”